କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଚାମେଲିଙ୍କୁ ଗାଦିଚ୍ୟୁତ କରିବାକୁ ଆରମ୍ଭ ହୋଇଛି ଯୋଜନା । ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି ।
ତିଖିରି ଗ୍ରାମ ପଞ୍ଚାୟତର ୨୨ ଜଣ ୱାର୍ଡ ସଭ୍ୟ/ସଭ୍ୟା ମଧ୍ୟରୁ ୨୧ ଜଣ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଆସନ୍ତା ଜୁଲାଇ ୨୭ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ନିର୍ବାଚନ ହେବ । ସେହିଦିନ ସମସ୍ତଙ୍କୁ ଉପସ୍ଥିତ ରହିବାକୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ମହାକାଳପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଚାମେଲିଙ୍କ ନାଁରେ କାହିଁକି ଅନାସ୍ଥା ଆଗତ ହୋଇଛି ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ ।
ଚାମେଲି ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନ କରିଥିଲେ । ଦୁର୍ବ୍ୟବହାର କରିବା ଅଭିଯୋଗ ଆଣି ମହାକାଳପଡ଼ା ବିଡ଼ିଓ ଏବଂ ଥାନା ଆଇଆଇସିଙ୍କ ବହିଷ୍କାର ଦାବିରେ ଅନଶନ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।