ହରାରେ: ଭାରତୀୟ କ୍ରିକେଟ୍ ମହଲରେ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନା ଏବଂ ଗୁଜବର ଅନ୍ତ ଘଟାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଅବସର ନେଇ ଉଠିଥିବା ପ୍ରଶ୍ନ ଏବଂ ଇଂଲଣ୍ଡ ଗସ୍ତ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଭାଗ୍ୟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବୋର୍ଡ ପକ୍ଷରୁ ସ୍ପଷ୍ଟ ସ୍ପଷ୍ଟୀକରଣ ରଖାଯାଇଛି।
ଇଂଲଣ୍ଡ ଗସ୍ତ ସମୟରେ ଏଭଳି ଗୁଜବ ଜୋର ଧରିଥିଲା ଯେ, 'ହିଟ୍ମ୍ୟାନ୍' ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି। ବିଶେଷକରି ଶେଷ ଦିନିକିଆ ମ୍ୟାଚ୍ ପରେ ତାଙ୍କ କ୍ୟାରିୟରର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କୁହାଯାଉଥିଲା। କିନ୍ତୁ ତୃତୀୟ ଦିନିକିଆରେ ଏକ ଦମଦାର ଏବଂ ବିସ୍ଫୋରକ ଶତକ (୧୩୮ ରନ୍) ହାସଲ କରି ରୋହିତ ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ। ଏହା ସହିତ ସେ ସ୍ପଷ୍ଟ କରିସାରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ଆଗାମୀ ୨୦୨୭ ବିଶ୍ୱକପ୍ ଖେଳିବା।
ଏହି ପ୍ରସଙ୍ଗରେ ବୋର୍ଡର ଆଭିମୁଖ୍ୟ ସ୍ପଷ୍ଟ କରି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, ରୋହିତ ଶର୍ମା ଆମ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେ କ୍ରିକେଟ୍ ଜାରି ରଖିଛନ୍ତି। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଯାହାସବୁ ଚର୍ଚ୍ଚା ହେଉଛି, ତାର କୌଣସି ଅର୍ଥ ନାହିଁ। ବର୍ତ୍ତମାନ ତାଙ୍କ ଅବସର ନେବା ନେଇ କୌଣସି ପ୍ରଶ୍ନୟ ହିଁ ନାହିଁ।
ଗୌତମ ଗମ୍ଭୀରଙ୍କ ଭବିଷ୍ୟତ ଏବଂ ଦଳର ନେତୃତ୍ୱ
ୟୁକେ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଆଶାନୁରୂପକ ନ ରହିବା ଏବଂ ସିରିଜ୍ ହାତଛଡ଼ା ହେବା ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଭାରକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। ତେବେ ଏହି ସମସ୍ତ କଳ୍ପନାକୁ ଖଣ୍ଡନ କରି ବିସିସିଆଇ ବର୍ତ୍ତମାନର ଲିଡରସିପ୍ ଏବଂ କୋଚିଂ ଷ୍ଟାଫ୍ ପଛରେ ଦୃଢ଼ ଭାବରେ ଠିଆ ହୋଇଛି। ରାଜୀବ ଶୁକ୍ଳା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦଳରେ କେ ରହିବ ଏବଂ କେ ନାହିଁ, ସେ ନିଷ୍ପତ୍ତି କେବଳ ଚୟନକର୍ତ୍ତାମାନଙ୍କର ଅଟେ।
ଭାରତୀୟ ଦଳ ସାମଗ୍ରିକ ଭାବେ ଭଲ ପ୍ରଦର୍ଶନ କରୁଛି ଏବଂ ମ୍ୟାଚ୍ ଜିତୁଛି, ତେଣୁ ଏହି ମହୁର୍ତ୍ତରେ ଦଳର ଶୀର୍ଷ ସ୍ଥରରେ କୌଣସି ପ୍ରକାରର ପରିବର୍ତ୍ତନର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ଅଛି ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ୟୁକେ ଗସ୍ତ ପରେ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଭି.ଭି.ଏସ୍ ଲକ୍ଷ୍ମଣ ଅସ୍ଥାୟୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଦଳ ସହିତ ରହିଛନ୍ତି ଏବଂ ତାଙ୍କ ମାର୍ଗଦର୍ଶନରେ ଦଳ ବିଜୟଧାରା ମଧ୍ୟ ଆରମ୍ଭ କରିସାରିଛି।