ନୂଆଦିଲ୍ଲୀ: ଦେଶରେ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ଜାତୀୟ ପରୀକ୍ଷା ଏଜେନ୍ସି (NTA) ର ଆୟକୁ ନେଇ ସଂସଦରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ ଭିତରେ NTAର ଆୟ ଦ୍ୱିଗୁଣରୁ ଅଧିତକ ବୃଦ୍ଧି ପାଇଛି ଏବଂ ସଂସ୍ଥା ପରୀକ୍ଷା ମାଧ୍ୟମରେ ୧୧୦୦ କୋଟିରୁ ଅଧିକ ଆୟ କରିଛି।
ସଂସଦରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦ରେ ଏଜେନ୍ସିର ମୋଟ ଆୟ ୫୦୪.୧୬ କୋଟି ଟଙ୍କା ଥିଲା, ଯାହାକି ୨୦୨୩-୨୪ ବେଳକୁ ବୃଦ୍ଧି ପାଇ ୧୧୧୬.୮୪ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ସଂସ୍ଥାର ଖର୍ଚ୍ଚ ମଧ୍ୟ ୪୪୦.୨୦ କୋଟି ଟଙ୍କାରୁ ବଢ଼ି ୧୦୪୦.୯୬ କୋଟି ଟଙ୍କା ହୋଇଯାଇଛି।
ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏହି ସୂଚନା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସମସ୍ତ ତଥ୍ୟ NTAର ଆୟ-ବ୍ୟୟ ହିସାବ ଉପରେ ଆଧାରିତ, ଯାହାକୁ ଏଜେନ୍ସିର ପରିଚାଳନା ପରିଷଦ ଦ୍ୱାରା ଅନୁମୋଦନ କରାଯାଇଛି।
ଆୟ ଏବଂ ଖର୍ଚ୍ଚର ତୁଳନା
୨୦୧୯-୨୦: ଏହି ଆର୍ଥିକ ବର୍ଷରେ NTAର ମୋଟ ଆୟ ୫୦୪.୧୬ କୋଟି ଟଙ୍କା ଥିବାବେଳେ ମୋଟ ଖର୍ଚ୍ଚ ୪୪୦.୨୦ କୋଟି ଟଙ୍କା ରହିଥିଲା।
୨୦୨୦-୨୧: ଏହି ବର୍ଷ ସଂସ୍ଥାର ଆୟ ସାମାନ୍ୟ ବୃଦ୍ଧି ପାଇ ୫୧୫.୧୬ କୋଟି ଟଙ୍କା ଏବଂ ଖର୍ଚ୍ଚ ୪୩୬.୨୫ କୋଟି ଟଙ୍କା ରେକର୍ଡ କରାଯାଇଥିଲା।
୨୦୨୧-୨୨: ଏହି ଅବଧିରେ ମୋଟ ଆୟ ୫୦୮.୪୭ କୋଟି ଟଙ୍କା ଏବଂ ମୋଟ ଖର୍ଚ୍ଚ ୪୨୬.୫୨ କୋଟି ଟଙ୍କା ରହିଥିଲା, ଯାହା ପ୍ରାୟ ସ୍ଥିର ଅବସ୍ଥାରେ ଥିଲା।
୨୦୨୨-୨୩: ଏହି ବର୍ଷ ଏଜେନ୍ସିର ଆୟରେ ଏକ ବଡ଼ ଧରଣର ଲମ୍ଫ ଦେଖିବାକୁ ମିଳିଥିଲା ଏବଂ ଆୟ ବୃଦ୍ଧି ପାଇ ୯୦୦.୫୬ କୋଟି ଟଙ୍କା ଏବଂ ଖର୍ଚ୍ଚ ୬୮୧.୫୨ କୋଟି ଟଙ୍କା ହୋଇଥିଲା।
୨୦୨୩-୨୪: ଏହି ଶେଷ ଆର୍ଥିକ ବର୍ଷରେ ସଂସ୍ଥାର ମୋଟ ଆୟ ସର୍ବାଧିକ ୧୧୧୬.୮୪ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ମୋଟ ଖର୍ଚ୍ଚ ୧୦୪୦.୯୬ କୋଟି ଟଙ୍କା ଛୁଇଁଥିଲା।
ଶିକ୍ଷା ମହଲରେ ଚର୍ଚ୍ଚା
ଦେଶରେ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ନେଇ ପ୍ରଶ୍ନପତ୍ରଲିକ୍ ଓ ଅନିୟମିତତା ଅଭିଯୋଗ ଲାଗିରହିଥିବା ବେଳେ, ଏଜେନ୍ସିର ଆୟ ଏଭଳି ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବେ ଶିକ୍ଷା ଜଗତରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ପରୀକ୍ଷା ଶୁକ୍ଳ ଏବଂ ପରିଚାଳନା ବ୍ୟୟ ବୃଦ୍ଧି ପାଉଥିବାରୁ ଏହା ପରୀକ୍ଷାର୍ଥୀମାନଙ୍କ ପାଇଁ ଅଧିକ ଚିନ୍ତାର କାରଣ ହେଉଛି ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି।