ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ସୋସିଆଲ ମିଡିଆ ମାଧ୍ୟମରେ ଦେଶର ଯୁବବର୍ଗ ଓ ଛାତ୍ରଛାତ୍ରୀଙ୍କ ସହ ସୀଧାସଳଖ ସମ୍ପର୍କ ଯୋଡ଼ିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ NEET ପେପର ଲିକ୍ ମାମଲା ଓ କଠୋର ଆଇନ ଆଣିବା ନେଇ ପୋଷ୍ଟ କରିଥିବା ଭିଡିଓ ବାର୍ତ୍ତାକୁ ମିଳିଥିବା ବିପୁଳ ସକାରାତ୍ମକ ପ୍ରତିକ୍ରିୟା ପାଇଁ ପ୍ରଧାନମନ୍ତ୍ରୀ ଏକ ନୂଆ ଭିଡିଓ ଜାରି କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସେଲଫି ଭିଡିଓ ପୋଷ୍ଟ କରି କହିଛନ୍ତି, ଥ୍ୟାଙ୍କ୍ୟୁ ଫ୍ରେଣ୍ଡସ! ଗତକାଲି ରାତିରେ ଆପଣମାନଙ୍କ ସହ କଥା ହେବାର ସୁଯୋଗ ମିଳିଥିଲା। ମୁଁ ପୋଷ୍ଟ କରିଥିବା ଭିଡିଓ ଉପରେ ଆପଣମାନେ ଯେପରି ପ୍ରତିକ୍ରିୟା ଦେଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସକାରାତ୍ମକ ପରାମର୍ଶ ଦେଲେ, ସେଥିପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଆପଣଙ୍କର ଏହି ଭଲପାଇବା ଏହିପରି ବଜାୟ ରହୁ ଏବଂ ଆମର ସମ୍ପର୍କ ଆଗକୁ ଆହୁରି ସକ୍ରିୟ ହେଉ। ଥ୍ୟାଙ୍କ୍ୟୁ, ଥ୍ୟାଙ୍କ୍ୟୁ ଦୋସ୍ତୋ।"
ପ୍ରଧାନମନ୍ତ୍ରୀ ଏହି ନୂଆ ଭିଡିଓ ପୋଷ୍ଟ କରିବାର ମାତ୍ର ୨୦ ମିନିଟ୍ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରିପରିଷଦର ସଦସ୍ୟମାନଙ୍କୁ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ସକ୍ରିୟ ରହି ଯୁବବର୍ଗଙ୍କ ସହ ସୀଧାସଳଖ ସମ୍ବାଦ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଗୁରୁବାର ରାତିରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ଭିଡିଓ ଜାରି କରି ପରୀକ୍ଷାର୍ଥୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପେପର ଲିକ୍ ରୋକିବା ପାଇଁ ସରକାର କଠୋର ଆଇନ, ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ କଠୋର ଦଣ୍ଡବିଧାନ ଆଣୁଛନ୍ତି। ଏହି ଭିଡିଓ ପ୍ରତି ଯୁବପିଢ଼ିଙ୍କ ଗ୍ରହଣୀୟତା ଓ ପ୍ରତିକ୍ରିୟା ଦେଖି ପ୍ରଧାନମନ୍ତ୍ରୀ ପୁଣିଥରେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।