ନୂଆଦିଲ୍ଲୀ / ଗ୍ଲାସଗୋ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେବା ପୂର୍ବରୁ ହିଁ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର। ଷ୍ଟାର୍ ମହିଳା ବକ୍ସର ଲଭଲିନା ବୋରଗୋହେନ୍ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଦେଇଛନ୍ତି। ରିଙ୍ଗକୁ ଓହ୍ଲାଇବା ପୂର୍ବରୁ ହିଁ ସେ ଦେଶ ପାଇଁ ଅତିକମରେ ଏକ କାଂସ୍ୟ ପଦକ ସୁନିଶ୍ଚିତ କରି ନୂଆ ଇତିହାସ ରଚିଛନ୍ତି।
ମହିଳା ୭୫ କିଲୋଗ୍ରାମ ଭାରବର୍ଗରେ ପ୍ରତିଯୋଗିତା କରୁଥିବା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଲଭଲିନାଙ୍କୁ ପ୍ରଥମ ରାଉଣ୍ଡରେ ‘ବାଏ’ ମିଳିଛି। ଏହାର ପ୍ରତ୍ୟକ୍ଷ ଫାଇଦା ସ୍ୱରୂପ ସେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ବକ୍ସିଂ ନିୟମାବଳୀ ଅନୁଯାୟୀ, ସେମିଫାଇନାଲରେ ପହଞ୍ଚିଥିବା ଉଭୟ ପରାଜିତ ପ୍ରତିଯୋଗୀଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଏ। ଏହାଫଳରେ ଲଭଲିନା ସେମିଫାଇନାଲ ମ୍ୟାଚ୍ ହାରିଲେ ମଧ୍ୟ କାଂସ୍ୟ ପଦକ ପାଇବା ନିଶ୍ଚିତ।
ସ୍ୱର୍ଣ୍ଣ ପଦକ ଉପରେ ଲକ୍ଷ୍ୟ
ଜୁଲାଇ ୩୧ ଲଭଲିନା ସେମିଫାଇନାଲ ମୁକାବିଲାରେ ଟୁଭାଲୁର ବକ୍ସର ତରୋନା ଖାନମ ବଦି ପସୋନି ତାଫାକିଙ୍କ ସାମ୍ନା କରିବେ। ଏହି ମ୍ୟାଚ୍ ଜିତିଲେ ସେ ସିଧାସଳଖ ଫାଇନାଲରେ ସ୍ଥାନ ପକ୍କା କରିବା ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଦାବିଦାର ହେବେ। ଏଥର ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତ ୧୨୪ ଜଣିଆ କ୍ରୀଡ଼ାବିତ୍ଙ୍କ ଦଳ ପଠାଇଛି। କ୍ରୀଡା ଆରମ୍ଭ ହେବା ପୂର୍ବରୁ ହିଁ ଲଭଲିନାଙ୍କ ଏହି ସଫଳତା ସମଗ୍ର ଭାରତୀୟ ଦଳର ମନୋବଳକୁ ବହୁଗୁଣିତ କରିଦେଇଛି।
Also Read: ଜିମ୍ବାୱେ ବିପକ୍ଷରେ ଫେଲ୍ ମାରିଲେ ଯାଇପାରେ ଶ୍ରେୟସଙ୍କ ଅଧିନାୟକତ୍ୱ, ଏବେ ପରାଜୟ ପଡିବ ଭାରି