ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଭବିଷ୍ୟତ କୁହାଯାଉଥିବା ଷ୍ଟାର୍ ବ୍ୟାଟର ଶୁଭମନ ଗିଲ୍ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅତି ନିରାଶାଜନକ ରହିଛି। ଗତ ଅକ୍ଟୋବର ୨୦୨୫ରେ ଗିଲ୍ ଦିନିକିଆ ଦଳର ଦାୟିତ୍ଵ ସମ୍ଭାଳିବା ପରଠାରୁ ଦଳ ଜିତିବା ଅପେକ୍ଷା ହାରିବା ସଂଖ୍ୟା ତିନି ଗୁଣ ଅଧିକ ରହିଛି। ବିଶ୍ୱର ଏକ ନମ୍ବର ଦଳ ହୋଇ ମଧ୍ୟ ଭାରତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଦଳ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି, ଯାହାକୁ ନେଇ ଏବେ ଗିଲ୍ଙ୍କ ଅଧିନାୟକତ୍ଵ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘରୋଇ ମାଟିରେ ଭାଙ୍ଗିଲା ୩୭ ବର୍ଷର ଐତିହାସିକ ରେକର୍ଡ
ଅଧିନାୟକ ଭାବେ ଗିଲ୍ଙ୍କ ସମୟରେ ଭାରତୀୟ କ୍ରିକେଟ ଇତିହାସର ଏକ ଲଜ୍ଜାଜନକ ରେକର୍ଡ ସାମ୍ନାକୁ ଆସିଛି। ୧୯୮୯ ମସିହା ପରଠାରୁ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ମାଟିରେ କେବେ ମଧ୍ୟ ଭାରତକୁ ଦିନିକିଆ ସିରିଜ୍ ହରାଇ ପାରିନଥିଲା। କିନ୍ତୁ ଶୁଭମନ ଗିଲ୍ଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆକୁ କିୱି ଦଳ ଏହି ୩୭ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଇତିହାସ ରଚିଛି। ନ୍ୟୁଜିଲ୍ୟାଣ୍ଡ ଭାରତକୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୨-୧ ରେ ପରାସ୍ତ କରି ସିରିଜ୍ କବଜା କରିଛି।
ବିଦେଶ ଗସ୍ତରେ ମଧ୍ୟ ବିଫଳତା, ଇଂଲଣ୍ଡଠାରୁ ପରାଜୟ
କେବଳ ଘରୋଇ ମାଟି ନୁହେଁ, ବରଂ ନିକଟରେ ଶେଷ ହୋଇଥିବା ବିଦେଶ ଗସ୍ତରେ ମଧ୍ୟ ଗିଲ୍ଙ୍କ ନେତୃତ୍ୱରେ ଦଳ ଫେଲ୍ ମାରିଛି। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ଜିତିବାର ସୁବର୍ଣ୍ଣ ସୁଯୋଗ ଥିଲେ ମଧ୍ୟ ଭାରତୀୟ ଦଳ ଏହାକୁ ହାତଛଡ଼ା କରିଛି। ଶେଷ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ଶୁଭମନ ଗିଲ୍ ଆଣ୍ଡ କମ୍ପାନୀ ଇଂଲଣ୍ଡଠାରୁ ୨-୧ ରେ ସିରିଜ୍ ହାରି ସ୍ୱଦେଶ ଫେରିଛି।
୪ଟି ସିରିଜ୍ରୁ ମାତ୍ର ଗୋଟିଏରେ ବିଜୟ
ଶୁଭମନ ଗିଲ୍ ନିଜର ୯ ମାସର ଅଧିନାୟକତ୍ୱ କାଳରେ ମୋଟ ୪ଟି ଦିନିକିଆ ସିରିଜ୍ ଖେଳିଛନ୍ତି, ଯେଉଁଥିରୁ ୩ଟି ଘରୋଇ ମାଟିରେ ଏବଂ ଗୋଟିଏ ବିଦେଶରେ ଖେଳାଯାଇଛି। ଏହି ୪ଟି ସିରିଜ୍ ମଧ୍ୟରୁ ଦଳକୁ ମାତ୍ର ଗୋଟିଏରେ ବିଜୟ ମିଳିଛି, ଯାହା ଭାରତ ନିଜ ମାଟିରେ ଆଫଗାନିସ୍ତାନ ବିପକ୍ଷରେ ୩-୦ ରେ ଜିତିଥିଲା। ଗତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରୁ (୨-୧ ରେ ପରାଜୟ) ଗିଲ୍ଙ୍କ କ୍ୟାପ୍ଟେନ୍ସି ଡେବ୍ୟୁ ହୋଇଥିବା ବେଳେ ସେବେଠାରୁ ଏପର୍ଯ୍ୟନ୍ତ ଦଳ ମାତ୍ରାଧିକ ସିରିଜ୍ ହାରି ଚାଲିଛି।