ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂଙ୍କର ପରଲୋକ ହୋଇଛି । ସୋମବାର ଭୋରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।
ସୁଶାନ୍ତ ସିଂହ ୧୯୭୩ ମସିହାର ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସୁଶାନ୍ତ ସିଂ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ । ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ସେ ୩ ଥର ବିଧାୟକଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯, ୨୦୧୪ ଏବଂ ୨୦୧୯ରେ ଲଗାତର ତିନି ତିନି ଥର ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରୁ ୨୦୨୨ ଯାଏଁ, ବିଜେଡ଼ି ସରକାରରେ ଶ୍ରମ ଓ କର୍ମଚାରୀ ଏବଂ ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅସୁସ୍ଥତା ମଧ୍ୟରେ ସେ ୨୦୨୪ ସାଧାରଣ ନିର୍ବାଚନ ବିଜେଡିର ପ୍ରାର୍ଥୀ ଭାବରେ ଭଟଲି ବିଧାନସଭା ଆସନରୁ ଲଢ଼ିଥିଲେ । ସେ ମୋଟ ୭୯,୭୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ୟ୍ୟଙ୍କଠାରୁ ୨୭,୮୯୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।