ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆଜି ଖଣ୍ଡଯୁଦ୍ଧ । ଗୋଟିଏ ପଟେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ସେପଟେ ନୂତନ କରି ଗଢ଼ି ଉଠିଥିବା କକ୍ରୋଚ ଜନତା ପାର୍ଟୀ (ସିଜେପି) “ସଂସଦ ଚାଲ” ଡାକରା ଦେଇଛି । ଦିଲ୍ଲୀର ଜନ୍ତରମନ୍ତରରୁ ବାହାରି ସଂସଦ ଅଭିମୁଖେ ଯାଉଥିବା ଏହି ବିଶାଳ ଶୋଭଯାତ୍ରାକୁ ପୋଲିସ ରୋକିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଜନ୍ତର ମନ୍ତର ନିକଟରେ ୫,୦୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଏହା ସହିତ, ପ୍ରତିବାଦ ସ୍ଥଳ ଅଞ୍ଚଳରେ ଧାରା ୧୬୩ ଲାଗୁ କରାଯାଇଛି।
ନିଟ୍ ପେପର ଲିକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ବେରୋଜଗାରୀ ଏବଂ ସରକାରୀ ନିଯୁକ୍ତି ପରୀକ୍ଷା ଫଳାଫଳ ପ୍ରକାଶକୁ ନେଇ ଆମରଣ ଅନଶନରେ ବସିଥିବା ସିଜେପି ଆଜି “ସଂସଦ ଚାଲ” ଡାକରା ଦେଇଛି । ହଜାର ହଜାର ସମର୍ଥକଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଜନ୍ତରମନ୍ତରରୁ ବାହାରି ସଂସଦ ଅଭିମୁଖେ ଅଗ୍ରସର ହେଉଥିବାବେଳେ ସୁରକ୍ଷାବଳ ସେମାନଙ୍କୁ ଅଟକାଇଥିଲା । ଫଳରେ ଜାତୀୟ ରାଜଧାନୀର ଛାତି ଉପରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ପୋଲିସ ସୁରକ୍ଷା ବଳକୁ ଭାଙ୍ଗି ଆନ୍ଦୋଳନ କରି ଆଗକୁ ବଢ଼ୁଥିବାବେଳେ ରେଳ ଭବନ ନିକଟରେ ପୋଲିସ ସେମାଙ୍କୁ ଅଟକାଇଥିଲା । ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ, ପାଣି ପ୍ରୟୋଗ କରିବା ସହିତ ମୃଦୁ ଲାଠିଚାଳନା କରିଥିଲା । ଫଳରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହା ସହିତ ସୁରକ୍ଷା ଦୃଷ୍ଟିରୁ ସଂସଦ ଭବନର ସାଉଥ୍ ଗେଟକୁ ବନ୍ଦ କରିଦିଆଯାଇଥିଲା ।
ସିଜେପିର ମୁଖ୍ୟ ପ୍ରବକ୍ତା ସୌରଭ ଦାସଙ୍କୁ ପୋଲିସ ଅଟକ ରଖିଛି । ତାଙ୍କୁ ଦିଲ୍ଲୀ ପୋଲିସ ଉପାୟୁକ୍ତଙ୍କ କାର୍ଯ୍ୟାଳୟକୁ ନିଆଯାଇଛି । ତାଙ୍କର ପ୍ରତିନିଧି ଦଳ ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବେ ବୋଲି ସେ କହିଛନ୍ତି । ସରକାର ଆଲୋଚନା ପାଇଁ ତାଙ୍କୁ ଡାକିଥିବା ସେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ ତମାମ ବିରୋଧୀ ଦଳ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି । ଆମ୍ ଆଦମୀ ଦଳ ନେତ୍ରୀ ଆତଶୀ ମାର୍ଲେନା, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌଇତ୍ର ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଁଥିବା ଦେଖିବାକୁ ମିଳିଛି ।