ପୁରୀ: ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ରଥଯାତ୍ରା ପରିଚାଳନାରେ ତ୍ରୁଟି ଓ ଭିଡ଼ ନିୟନ୍ତ୍ରଣକୁ ନେଇ ବିରୋଧୀ ଦଳ କରୁଥିବା ଅଭିଯୋଗ ଉପରେ ଶାସକ ଦଳ ବିଜେପି କଡ଼ା ଜବାବ ଦେଇଛି। ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଖାରଜ କରିବା ସହ ସରକାର ଓ ମନ୍ଦିର ପ୍ରଶାସନର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଫଳ ବୋଲି ଦର୍ଶାଇଛି ଦଳ।
ଏହି ବିବାଦ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରାର ସମସ୍ତ ପ୍ରସ୍ତୁତି ଓ ପରିଚାଳନା ବେଶ୍ ସୁଚାରୁରୂପେ କରାଯାଇଥିଲା।
"ମୁଁ ନିଜେ ସେଠାରେ ଉପସ୍ଥିତ ରହି ସାରା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଥିଲି। ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ତ୍ରୁଟି ହୋଇନାହିଁ। ରଥଟଣା ବେଳେ ବଡ଼ଦାଣ୍ଡର ଭିଡ଼ ଭିତରେ କୌଣସି ଭକ୍ତ ଶ୍ୱାସରୁଦ୍ଧ ହୋଇନାହାନ୍ତି। ଯଦି ବାହାରେ କେଉଁଠି ଏଭଳି କିଛି ଘଟଣା ଘଟିଥାଏ, ତେବେ ସମ୍ପୃକ୍ତ ବିଭାଗ ଏହାର ଉପଯୁକ୍ତ ତଦନ୍ତ କରୁଛି।"
ପ୍ରତିକୂଳ ପରିସ୍ଥିତିରେ ବି ପ୍ରଶାସନର ଦକ୍ଷତା ପ୍ରମାଣିତ
ସରକାରୀ ଦଳ ମୁଖ୍ୟ ସଚେତକଙ୍କ କହିବା ଅନୁଯାୟୀ, ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ଏଭଳି ଏକ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ସହଜ କାମ ନଥିଲା। କିନ୍ତୁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ (SJTA) ଅତି ଦକ୍ଷତାର ସହ ସ୍ଥିତିକୁ ସମ୍ଭାଳିଛନ୍ତି। ବିରୋଧୀ ଦଳର କାମ କେବଳ ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ବିରୋଧ କରିବା, ସେଥିପାଇଁ ସେମାନେ ଅଯଥାରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି, ଯାହାର କୌଣସି ଭିତ୍ତି ନାହିଁ।
Also Read: ଲଘୁଚାପର ପ୍ରଭାବରେ ୨ ଦିନ ଭିଜିବ ଓଡ଼ିଶା; କଟକ-ଯାଜପୁର-ଭଦ୍ରକ ସମେତ ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା