ଭୁବନେଶ୍ୱର: ଲଘୁଚାପଜନିତ ବର୍ଷା ଯୋଗୁଁ ସମଗ୍ର ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ସକ୍ରିୟ ଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇପଡ଼ିଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏଥିପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା, ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ଛୋଟ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଅନ୍ୟପଟେ ଶ୍ରୀକ୍ଷେତ୍ର ପୁରୀରେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ପୁରୀରେ ୧୦୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତଥାପି ବର୍ଷା ସତ୍ତ୍ୱେ ରଥଯାତ୍ରାର ଆଧ୍ୟାତ୍ମିକ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନାହିଁ। ଲକ୍ଷାଧିକ ଭକ୍ତ ବର୍ଷାକୁ ଖାତିର ନକରି ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଭିତରେ ରଥଯାତ୍ରା ପାଳନ ହୋଇଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ପୁରୀ ପାଇଁ 'ୟେଲୋ ୱାର୍ଣ୍ଣିଂ' ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅପରାହ୍ନ ପରେ ବର୍ଷାର ପ୍ରକୋପ କମିପାରେ ବୋଲି ଆକଳନ କରାଯାଇଛି। ପାଣିପାଗ ବିଭାଗର ସତର୍କବାଣୀକୁ ଗୁରୁତ୍ୱ ଦେଇ ଅନାବଶ୍ୟକ ଯାତ୍ରା ଏଡ଼ାଇବା ସହ ନଦୀ ଓ ଜଳାଶୟ ନିକଟକୁ ନଯିବାକୁ ପ୍ରଶାସନ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି।