ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ନିର୍ମିତ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ମୁକ୍ତିଲାଭ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ରଥଯାତ୍ରା ପୂର୍ବରୁ ଆସିଥିବା ଏହି ନିଷ୍ପତ୍ତି ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଯୋଜନା ସଂସ୍ଥା ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ଅଦାଲତଙ୍କ ପରବର୍ତ୍ତୀ ଅନୁମତି ବିନା ଫିଲ୍ମ ରିଲିଜ୍ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ମହେଶ କୁମାର ସାହୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ରକୁ ରଦ୍ଦ କରିବା ସହ ଓଡ଼ିଶାରେ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଦାବି କରାଯାଇଛି।
ଆବେଦନରେ କୁହାଯାଇଛି ଯେ, ଗତ ଜୁନ୍ ୬ ତାରିଖରେ ୟୁଟ୍ୟୁବରେ ଫିଲ୍ମର ଟିଜର୍ ମୁକ୍ତିଲାଭ ପରେ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ଦୃଶ୍ୟକୁ ନେଇ ତୀବ୍ର ଆପତ୍ତି ଉଠିଥିଲା। ପରେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲେ ମଧ୍ୟ କିଛି ଦୃଶ୍ୟକୁ ନେଇ ପୁଣି ଆପତ୍ତି ଉଠିଥିଲା। ଏହାପରେ ପ୍ରଯୋଜନା ସଂସ୍ଥା ଆବଶ୍ୟକ ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲା।
ଅନ୍ୟପଟେ ପ୍ରଯୋଜନା ସଂସ୍ଥାର ଦାବି ହେଉଛି, ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଉପରେ ଆଧାରିତ ଏବଂ ଦର୍ଶକଙ୍କ ପାଇଁ ସ୍ପଷ୍ଟ ଡିସ୍କ୍ଲେମର ମଧ୍ୟ ରଖାଯାଇଛି। ତେବେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ବର୍ତ୍ତମାନ ଫିଲ୍ମର ମୁକ୍ତିଲାଭ ଅଦାଲତଙ୍କ ପରବର୍ତ୍ତୀ ଆଦେଶ ଉପରେ ନିର୍ଭର କରିବ।