ପୁରୀ: ରାତି ପାହିଲେ ଅନୁଷ୍ଠିତ ହେବ ବିଶ୍ୱର ସବୁଠାରୁ ବଡ଼ ଯାତ୍ରା ମହାପ୍ରଭୁଙ୍କ ଘୋଷ ଯାତ୍ରା । ପବିତ୍ର ରଥଯାତ୍ରାକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ପୁରୀ ସହର ଏବଂ ବଡ଼ଦାଣ୍ଡକୁ ସ୍ୱଚ୍ଛ ଓ ଆବର୍ଜନା ମୁକ୍ତ କରିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଭକ୍ତଙ୍କ ସେବା ହିଁ ଲୋକଙ୍କ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କ ସହଯୋଗରେ ମହାବାହୁଙ୍କ ଏହି ପବିତ୍ର ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରୁ ଏହି ପବିତ୍ର ରଥଯାତ୍ରା ଶାନ୍ତି, ସୌହାର୍ଦ୍ଦ ଓ ଭକ୍ତିର ପରିବେଶରେ ସଫଳତାର ସହ ସମ୍ପନ୍ନ ହେଉ ଏବଂ ସମସ୍ତ ଭକ୍ତଙ୍କୁ ଦିବ୍ୟ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
ସେହିପରି ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଅସ୍ମିତା ଓ ଆମ ଆଧ୍ୟାତ୍ମିକ ସଂସ୍କୃତିର ପରମ ପ୍ରତୀକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସମଗ୍ର ବିଶ୍ୱର ଶ୍ରଦ୍ଧାଳୁ ଓ ଓଡ଼ିଶାବାସୀଙ୍କୁ ସେବା ଓ ନିର୍ମଳତାର ପବିତ୍ର ଧାରା ସହ ଯୋଡ଼ିହେବା ପାଇଁ ସେ ଆହ୍ୱାନ କରିଛନ୍ତି । ମହାପ୍ରଭୁଙ୍କ ସେବା କେବଳ ଭକ୍ତି ଓ ଆରାଧନା ମଧ୍ୟରେ ସୀମିତ ନୁହେଁ, ବରଂ ତାଙ୍କ ପବିତ୍ର ଶ୍ରୀକ୍ଷେତ୍ର, ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର ଏବଂ ଆମ ସାମଗ୍ରିକ ପରିବେଶକୁ ପରିଷ୍କାର-ପରିଚ୍ଛନ୍ନ ରଖିବା ମଧ୍ୟ ପ୍ରତ୍ୟେକ ନାଗରିକଙ୍କର ଏକ ପରମ ଆଧ୍ୟାତ୍ମିକ କର୍ତ୍ତବ୍ୟ। "ସ୍ୱଚ୍ଛତା ହିଁ ସେବା" ; ମହାପ୍ରଭୁଙ୍କ ଜଣେ ପ୍ରକୃତ ସେବକ ଭାବରେ, ଯାତ୍ରା ସମୟରେ ରଥଯାତ୍ରାର ମାର୍ଗକୁ ସମ୍ପୂର୍ଣ୍ଣ ଅଳିଆମୁକ୍ତ ରଖିବା ସହ ଓଦା, ଶୁଖିଲା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ପୃଥକ କରି ନିର୍ଦ୍ଧାରିତ ସ୍ଥାନରେ ପ୍ରଦାନ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା । ଆମର ସାମାନ୍ୟ ସଚେତନତା ପୁରୀର ପବିତ୍ର ପରିବେଶକୁ ସୁରକ୍ଷିତ ରଖିବ। ଏହି ମହତ୍ ପଦକ୍ଷେପରେ ସାମିଲ ହୋଇ ମୁଁ ‘ଶ୍ରୀ ଜଗନ୍ନାଥ ରଥଯାତ୍ରା ସବୁଜ ଏବଂ ସ୍ୱଚ୍ଛ ସଂକଳ୍ପ’ ଗ୍ରହଣ କରିଛି। ଆସନ୍ତୁ, ଆପଣମାନେ ମଧ୍ୟ ଏହି ସଂକଳ୍ପ (Swachhata Pledge) ଗ୍ରହଣ କରି ଆମର ମହାନ ଐତିହ୍ୟକୁ ସମ୍ମାନ ଜଣାଇବା ସହ ଏକ ସୁନ୍ଦର ଓ ଆଦର୍ଶ ଓଡ଼ିଶା ଗଠନରେ ନିଜର ସହଭାଗିତା ସୁନିଶ୍ଚିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ:- ଘରେ ବସି ଶ୍ରୀମନ୍ଦିରକୁ କରିପାରିବେ ଦାନ, ‘ଡିଜିଟାଲ୍ ହୁଣ୍ଡି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ