ପୁରୀ: ଏଣିକି ବିଶେଷ ଦିନ ମାନଙ୍କରେ ମହାପ୍ରଭୁଙ୍କୁ ଦାନ କରିବାକୁ ଆଉ ପୁରୀ ଯିବାକୁ ପଡ଼ିବ ନାହିଁ । ଆପଣ ଯେଉଁଠି ଥାଆନ୍ତୁ, ଘରେ ବସି ଅନଲାଇନରେ ଶ୍ରୀମନ୍ଦିରକୁ ଦାନ ଦେବା ସହିତ ଡିଜିଟାଲ୍ ବିଲ୍ ମଧ୍ୟ ପାଇପାରିବେ । ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅତ୍ୟାଧୁନିକ ଦାନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ପରିସରରେ"ଡିଜିଟାଲ ହୁଣ୍ଡି - ସମର୍ପଣ"ର ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଡିଜିଟାଲ ହୁଣ୍ଡି ବ୍ୟବସ୍ଥାରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହା ଦ୍ୱାରା ଶ୍ରଦ୍ଧାଳୁମାନେ ୱାଟ୍ସଆପ୍, ୱେବ୍ ପୋର୍ଟାଲ ଓ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଜରିଆରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଦାନ ରାଶି ପ୍ରଦାନ କରିପାରିବେ । ଶ୍ରଦ୍ଧାଳୁମାନେ ବିଶେଷ ଦିନ ଯଥା, ଜନ୍ମ ଦିନ , ବିବାହ ବାର୍ଷିକ, ଶ୍ରାଦ୍ଧ, ବ୍ରତୋତ୍ସବ ଭଳି ବିଭିନ୍ନ କାର୍ଯ୍ୟରେ ଦାନ କରିପାରିବେ । ମୋବାଇଲ୍ ନମ୍ବରରେ ଓଟିପି ମାଧ୍ୟମରେ ଲଗ୍ ଇନ୍ କରି ୟୁପିଆଇ, ଇଣ୍ଟରନେଟ୍ ବ୍ୟାଙ୍କି, ଡେଭିଟ୍ ଏବଂ କ୍ରେଡିଟ୍ କାର୍ଡ ଜରିଆରେ ଟଙ୍କା ପଠାଇପାରିବେ । ଏକ ଟଙ୍କାଠାରୁ ଦାନ କରି ହେବ । ଦାନ ଅର୍ଥ ରାଶିର ଡିଜିଟାଲ୍ ବିଲ୍ ମଧ୍ୟ ଅନଲାଇନରେ ମିଳିଯିବ । ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟ ଉପଯୋଗୀ ।
ଏହି ଦାନ ରାଶିକୁ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣା କାର୍ଯ୍ୟରେ ବିନିଯୋଗ କରାଯିବ । ଏହା ଶ୍ରୀମନ୍ଦିର କର୍ପସ୍ ଫଣ୍ଡକୁ ଯିବ । ଶ୍ରଦ୍ଧାଳୁମାନେ ଆୟକର ମଧ୍ୟ ଛାଡ଼ ପାଇପାରିବେ । ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ଲୋକ ଏଥିରେ ସାମିଲ ହୋଇପାରିବେ ।"ଡିଜିଟାଲ ହୁଣ୍ଡି - ସମର୍ପଣ" କେବଳ ଏକ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ନୁହେଁ, ଏହା ହେଉଛି ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଓ ସମର୍ପଣ ଭାବକୁ ଶ୍ରୀମନ୍ଦିର ସହ ଯୋଡ଼ିବାର ଏକ ପବିତ୍ର ତଥା ସ୍ୱଚ୍ଛ ସେତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୁରୀ ସାଂସଦ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।