ପୁରୀ: ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶୃଙ୍ଖଳା ରକ୍ଷାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ) କଠୋର ପଦକ୍ଷେପ ନେଇଛି। ଶୃଙ୍ଖଳାଭଙ୍ଗ ଓ ଅସଦାଚରଣ ଅଭିଯୋଗରେ ସେବାୟତ ରଶ୍ମି ରଞ୍ଜନ ଦତ୍ତ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ରଥଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଘଟିଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ସୂଚନା ଅନୁଯାୟୀ, ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବନକଲାଗି ନୀତି ଚାଲିଥିବା ସମୟରେ ସମ୍ପୃକ୍ତ ସେବାୟତ ମନ୍ଦିର କମାଣ୍ଡରଙ୍କ ସହ ଅସଦାଚରଣ କରିଥିବା ଏବଂ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ସମ୍ପର୍କରେ ମନ୍ଦିର କମାଣ୍ଡରଙ୍କ ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେବାୟତଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରିବାକୁ ଆଦେଶ ଦେଇଛନ୍ତି।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ଶ୍ରୀମନ୍ଦିର ସୁରକ୍ଷା କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ସେବାୟତଙ୍କୁ ମନ୍ଦିର ପରିସରରୁ ବାହାରକୁ ନେଇଥିଲେ। ଏହା ପରେ ବନକଲାଗି ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।
ରଥଯାତ୍ରା ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଥିବା ବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦିଆଯାଇଛି। ଏହି ଘଟଣା ପରେ ଶ୍ରୀମନ୍ଦିରର ସେବା ବ୍ୟବସ୍ଥା ଓ ଶୃଙ୍ଖଳାକୁ ନେଇ ପ୍ରଶାସନ ଆହୁରି ସତର୍କ ହୋଇଛି।