ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବେଆଇନ ଅସ୍ତ୍ର କାରବାର ଉପରେ କେସିଙ୍ଗା ପୁଲିସ ବଡ଼ ସଫଳତା ପାଇଛି। ଏକ ଗୁପ୍ତ ସୂଚନା ଆଧାରରେ ଅମାଠ ଛକ ନିକଟରେ ଚଢ଼ାଉ କରି ପୁଲିସ ଏକ ଦେଶୀ ବନ୍ଧୁକ, ୯୩ ହଜାର ଟଙ୍କା ନଗଦ ଓ ଏକ ନୂଆ ଇଭି କାର୍ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ପରେ କୋର୍ଟ ଚାଲାଣ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଭବାନୀପାଟଣା ବିବିସି ପଡ଼ାର ସୁବାଶିଷ ପ୍ରଧାନ ଓରଫ କାଳିଆ, ଏନ୍. ଦାମୋଦର ରାଓ ଏବଂ ଚନ୍ଦନ ପଣ୍ଡା। ପୁଲିସ ସୂଚନା ଅନୁସାରେ, ସେମାନେ ଏକ ନୂତନ ଇଲେକ୍ଟ୍ରିକ୍ କାର୍ରେ ବେଆଇନ ସାମଗ୍ରୀ ନେଇ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ।
ପୂର୍ବରୁ ମିଳିଥିବା ଗୁପ୍ତ ଖବର ଆଧାରରେ କେସିଙ୍ଗା ପୁଲିସ ଅମାଠ ଛକରେ ଗାଡ଼ିକୁ ଅଟକାଇ ତଲାସି କରିଥିଲା। ତଲାସି ବେଳେ ଗାଡ଼ି ଭିତରୁ ଏକ ଦେଶୀ ବନ୍ଧୁକ ଓ ୯୩ ହଜାର ଟଙ୍କା ନଗଦ ଜବତ ହୋଇଥିଲା। ପରେ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା।
ଏହି ବେଆଇନ ଅସ୍ତ୍ର ଓ ନଗଦ ଟଙ୍କା କେଉଁଠାକୁ ନିଆଯାଉଥିଲା ଏବଂ ଏହା ପଛରେ କୌଣସି ଅପରାଧିକ ଚକ୍ର ସକ୍ରିୟ ଅଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜୋରଦାର କରିଛି। ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ମଧ୍ୟ ଯାଞ୍ଚ ଚାଲିଛି।
କଳାହାଣ୍ଡି ଏସ୍ପି ନାଗରାଜ ଦେବକୋଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏବଂ କେସିଙ୍ଗା ଏସ୍ଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ୱାବଧାନରେ ଏହି ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲାରେ ବେଆଇନ ଅସ୍ତ୍ର କାରବାର ଓ ସନ୍ଦେହଜନକ ଆର୍ଥିକ କାରବାର ବିରୋଧରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।