ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ କେଶବ ବିଲୋରଙ୍କ ପୁଅ ସମରତ ବିଲୋର। ଏହି ଅକାଳ ମୃତ୍ୟୁ ପରେ ପରିବାର ସହ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ସୋମବାର ରାତିରେ ସମରତ ନିଜ ବାପା ଓ ମା'ଙ୍କ ସହ ଘରେ ଖଟ ଉପରେ ଶୋଇଥିଲେ। ସବୁକିଛି ସ୍ୱାଭାବିକ ଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏକ ବିଷାକ୍ତ ସାପ ଖଟ ଉପରକୁ ଚଢ଼ି ଶିଶୁଟିକୁ କାମୁଡ଼ି ଦେଇଥିବା କୁହାଯାଉଛି। ଘଟଣା ଜାଣିବା ପରେ ପରିବାର ଲୋକେ ତୁରନ୍ତ ସମରତଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିବା ପରେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ସମରତଙ୍କର ମୃତ୍ୟୁ ଘଟିଥିଲା। ଏକମାତ୍ର ଶିଶୁକୁ ହରାଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।
ବର୍ଷା ଋତୁରେ ସାପଙ୍କ ଉପଦ୍ରବ ବଢ଼ୁଥିବାରୁ ଗ୍ରାମାଞ୍ଚଳରେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ବିଶେଷଜ୍ଞମାନେ ରାତିରେ ଶୋଇବା ପୂର୍ବରୁ ଘର ଓ ଶଯ୍ୟା ଚାରିପାଖ ସଫା ରଖିବା, ଅନ୍ଧାରରେ ସତର୍କ ରହିବା ଏବଂ ସାପ କାମୁଡ଼ିଲେ କୌଣସି ଘରୋଇ ଚିକିତ୍ସା ନକରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଉଛନ୍ତି।
ଏପଟେ ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ମୃତ୍ୟୁର ସମସ୍ତ ପରିସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି। ନିରୀହ ଶିଶୁ ସମରତଙ୍କ ଅକାଳ ବିୟୋଗ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି।