ରାୟଗଡ଼ା: ଜମି ପଟ୍ଟା ପ୍ରଦାନ ମାମଲାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲର ଜଣେ ରେଭେନ୍ୟୁ ଇନ୍ସପେକ୍ଟର(ଆରଆଇ)ଙ୍କୁ ବୁଧବାର ଭିଜିଲାନ୍ସ ଟିମ୍ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ହେଲେ ସିରିଝୁଲି ସର୍କଲର ଆରଆଇ ସୁଶାନ୍ତ ମଲ୍ଲିକ।
ସୂଚନା ଅନୁସାରେ, ଅଭିଯୋଗକାରୀ ନିଜ ପୈତୃକ ସମ୍ପତ୍ତିର ମ୍ୟୁଟେସନ ଓ ରେକର୍ଡ ଅଫ୍ ରାଇଟ୍ସ (ROR) ବା ଜମି ପଟ୍ଟା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ଅନଲାଇନରେ ଆବେଦନ କରିଥିଲେ। ଏଥିସହ ସରକାରୀ ଫି' ମଧ୍ୟ ଜମା କରିଥିଲେ। ତେବେ ଆବେଦନର ତଦନ୍ତ ରିପୋର୍ଟ ଦାଖଲ କରିବା ଏବଂ ଫାଇଲକୁ ଶୀଘ୍ର ଆଗକୁ ବଢ଼ାଇବା ପାଇଁ ଆରଆଇ ସୁଶାନ୍ତ ମଲ୍ଲିକ ତାଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ବାରମ୍ବାର ହଇରାଣ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଟ୍ରାପ୍ ଯୋଜନା କରିଥିଲେ। ବୁଧବାର ଗୁଣପୁର ତହସିଲ କାର୍ଯ୍ୟାଳୟରେ ଅଭିଯୁକ୍ତ ଆରଆଇ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୨୫ ହଜାର ଟଙ୍କାର ଲାଞ୍ଚ ରାଶି ଜବତ କରାଯାଇଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ-୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ଅଧିକାରୀମାନେ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପୁଣିଥରେ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାରକୁ ନେଇ ପ୍ରଶ୍ନ ଉଠାଇଛି।