ଭଦ୍ରକ: ଭଦ୍ରକ ସହରରେ ସାଳନ୍ଦୀ ନାମକ ଏକ ଘରୋଇ ହସ୍ପିଟାଲରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ ହୋଇଛି । ଅତିରିକ୍ତ ଜିଲ୍ଲା କାର୍ତ୍ତିକ ମଣ୍ଡଳଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ଅଲଟ୍ରାସାଉଣ୍ଡ ମେସିନକୁ ସିଲ୍ କରିବା ସହିତ ମାଲିକ ଡାକ୍ତର ପି କେ ମହାନ୍ତିଙ୍କୁ ଜବାବ ତଲବ କରାଯାଇଛି । ଆଗାମୀ ଚାରି ଦିନରେ ମଧ୍ୟରେ ଜବାବ ରଖିବାକୁ ସମୟ ଦିଆଯାଇଛି ।
ସାଳନ୍ଦୀ ହସ୍ପିଟାଲରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ଅତିରିକ୍ତ ଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳ, ସିଟି ଡିଏସପି ଅନିଲ ପ୍ରଧାନ, ଭେଷଜ ନିରୀକ୍ଷକ ଦୀପକ କୁମାର ଜେନା ଏବଂ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ ଅତର୍କିତ ଚଢ଼ଉ କରିଥିଲେ । ବେଆଇନ ଭାବେ ଅଲଟ୍ରାସାଉଣ୍ଡରେ ଲିଙ୍ଗ ନିରୂପଣ କରାଯାଉଥିବା ଟିମ୍ ଦେଖିବାକୁ ପାଇଥିଲେ । ସେହିପରି ହସ୍ପିଟାଲର ମେଡିସିନ୍ ଦୋକାନରେ କୌଣସି କାଗଜପତ୍ରରେ ମଧ୍ୟ ସଠିକ୍ ହିସାବ ନାହିଁ । ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସଠିକ୍ ଉତ୍ତର ଦେଇପାରିନଥିଲେ । ପରେ ପ୍ରଶାସନ ବ୍ୟବହୃତ ହେଉଥିବା ଅଲଟ୍ରାସାଉଣ୍ଡ ମେସିନକୁ ସିଲ କରିଛି ।