ଭୁବନେଶ୍ୱର: ଏକା ସାଙ୍ଗରେ ଦୁଇ ଦୁଇ ଜଣ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଶେଷରେ ଜୀବନ ହାରିଛନ୍ତି ସମ୍ପୃକ୍ତ ଯୁବତୀ । ଭୁବନେଶ୍ୱର ଡମଣାରେ ଏଭଳି ଘଟଣା ଘଟିଛି । ମୃତ ଯୁବତୀ ଜଣକ ଏକ ଘରୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜନୈକା ଯୁବତୀ ଜଣକ ପଟିଆରେ ଥିବା ଏକ ଘରୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ସେ ଡମଣାରେ ଭଡ଼ା ଘରେ ରହୁଥିଲେ । ଆଜି ସକାଳୁ ତାଙ୍କ ରୁମର କବାଟ ନଖୋଲିବାରୁ ସନ୍ଦେହରେ ଘର ମାଲିକ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ କବାଟ ଖୋଲି ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲା ।
ତ୍ରିକୋଣୀୟ ପ୍ରେମ ସମ୍ପର୍କ ପାଇଁ ଯୁବତୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଯୁବତୀଙ୍କର ପ୍ରଥମେ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ପରେ ତାଙ୍କ ସହିତ ମନୋମାଳିନ୍ୟ ହେବାରୁ ସେ ନିଜ ସହକର୍ମୀଙ୍କ ପ୍ରେମରେ ପଡ଼ିଥିଲା । ଏହି କଥାକୁ ନେଇ ତିନି ଜଣକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁବତୀଙ୍କ ପ୍ରେମ ସମ୍ପର୍କ ପଦାରେ ପଡ଼ିଯିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଚନ୍ଦ୍ରଶେଖର ପୋଲିସ ଯୁବତୀଙ୍କ ମୃତ ଦେହକୁ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ଲୋକେ ପହଁଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ଉକ୍ତ ଦୁଇ ଯୁବକ ଥାନାରେ ମଧ୍ୟ ହାଜର ହୋଇଛନ୍ତି । ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ଏବଂ ଏଥିରେ କାହାର ହାତ ରହିଛି ତଦନ୍ତ ପରେ ସେସବୁ ଉପରୁ ପରଦା ହଟିପାରେ ।