ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଘୋଷଯାତ୍ରା। ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାକୁ ନେଇ ଶ୍ରୀକ୍ଷେତ୍ରରେ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ପବିତ୍ର ଉଭାଯାତ୍ରା। ରଥଯାତ୍ରାର ବ୍ୟସ୍ତ ନୀତିକାନ୍ତି ଏବଂ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ସମ୍ପୂର୍ଣ୍ଣ ଦିନ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖାଯାଇଛି।
ଗତକାଲି ନବଯୌବନ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବା ପରେ ଭୋର ୪ଟାରୁ ଦତ୍ତ ମହାପାତ୍ର ସେବକମାନେ ବନକ ଲାଗି ନୀତି ଆରମ୍ଭ କରିଛନ୍ତି। ସକାଳ ୭ଟା ସୁଦ୍ଧା ବନକ ଲାଗି ଶେଷ ହେବା ପରେ ମଙ୍ଗଳ ଆଳତୀ, ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପନ୍ନ ହେବ। ପୂର୍ବ ନିର୍ଘଣ୍ଟ ଅନୁଯାୟୀ ସକାଳ ୧୧ଟା ୩୦ରେ ରଥଖଳାକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ।
ଆଜ୍ଞାମାଳ ପହଞ୍ଚିବା ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି କରାଯିବ। ଏହାପରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନଙ୍କ ସହଯୋଗରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥକୁ ରଥଖଳାରୁ ଟାଣି ଟାଣି ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ସିଂହଦ୍ୱାର ଚକଡ଼ାରେ ପହଞ୍ଚିବା ପରେ ତିନି ରଥର ଉତ୍ତର ମୋଡ଼ କରାଯିବ, ଯାହା ରଥଯାତ୍ରା ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା।
ଅନ୍ୟପଟେ, ରାତିରେ ବଡ଼ସିଂହାର ବେଶ, ପହୁଡ଼ ଆଳତୀ, ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ ହେବ। ସମସ୍ତ ନୀତି ଠିକ୍ ସମୟରେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି।
ଆସନ୍ତାକାଲି ପବିତ୍ର ଘୋଷଯାତ୍ରାରେ ସଅଳ ପହଣ୍ଡି ପରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ କରି ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବେ ଶ୍ରୀକ୍ଷେତ୍ରରେ ପହଞ୍ଚି ସାରିଛନ୍ତି।