ଭୁବନେଶ୍ୱର: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ବୁଧବାର ସକାଳ ୫ଟା ୩୦ରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ଯାହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଜି ପାଇଁ ଜଗତସିଂହପୁର ଜିଲ୍ଲାରୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ 9ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହା ସହିତ ରାୟଗଡା,ଗଂଜାମ,ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, ଦେଓଗଡ, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ପ୍ରବଳ ବର୍ଷା ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଭଦ୍ରକ ଓ ପୁରୀ ଜିଲ୍ଲାରେ ଆଜି ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।
ଆସନ୍ତା ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଏହି ସମୟରେ ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ଘଣ୍ଟାପ୍ରତି ୪୫ ରୁ ୫୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ଝଟକା ପବନ ବେଗ ସର୍ବାଧିକ ୬୦ କିମି ରହିବ । ସେହିପରି ଆସନ୍ତା 18 ତାରିଖ ଯାଏ ସମୁଦ୍ର ଆଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।