ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଜନ୍ତର-ମନ୍ତରଠାରେ ପ୍ରସିଦ୍ଧ ଶିକ୍ଷାବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକ୍ଙ୍କ ଅନିର୍ଦ୍ଦିଷ୍ଟ କାଳୀନ ଅନଶନ ଆଜି ୧୮ ତମ ଦିନରେ ପହଞ୍ଚିଛି। ନିଟ୍ ପେପର ଲିକ୍ ବିବାଦ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ଦୀର୍ଘ ଦିନ ଧରି ଭୋକ-ଉପାସରେ ରହିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରେ ଲାଗିଛି । ତାଙ୍କର ଜୀବନ ରକ୍ଷା ପାଇଁ ଅଦାଲତରେ ଏକ ଜନହିତ ଯାଚିକା ଦାୟର କରାଯାଇଛି।
ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଢ଼ିଲା ଚିନ୍ତା
ଆନ୍ଦୋଳନର ଆୟୋଜକ ଏବଂ ଡାକ୍ତରୀ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୮ ଦିନର ଆମରଣ ଅନଶନ ଯୋଗୁଁ ସୋନମ ୱାଙ୍ଗଚୁକ୍ଙ୍କ ଓଜନ ପ୍ରାୟ ୮.୫ କେଜି ହ୍ରାସ ପାଇଛି। ଏହାସହିତ ତାଙ୍କର ରକ୍ତଚାପ ଏବଂ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ଖସି ଆସିଛି। ପ୍ରବଳ ଶାରୀରିକ ଦୁର୍ବଳତା ଯୋଗୁଁ ତାଙ୍କୁ ଠିଆ ହେବା ବା ବସିବାରେ ମୁଣ୍ଡ ବୁଲାଇବା ସହ ଶୌଚାଳୟ ଯିବାରେ ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ପ୍ରଦର୍ଶନ ସ୍ଥଳରେ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ କ୍ରମାଗତ ନଜର ରଖିଛନ୍ତି।
କୋର୍ଟରେ ଜନହିତ ଯାଚିକା ଦାୟର
ୱାଙ୍ଗଚୁକ୍ଙ୍କ ବିଗିଡ଼ୁଥିବା ସ୍ଥିତିକୁ ଦେଖି ସମାଜସେବୀ ତଥା ଆଇନଜୀବୀ ରାକେଶ କୁମାର ସୈନୀଙ୍କ ପକ୍ଷରୁ ଏକ ଜନହିତ ଯାଚିକା ଦାୟର କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ, ଯଦି ଏହି ଅନଶନ ଆଗକୁ ଜାରି ରହେ, ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କର ପ୍ରାଣହାନି ଘଟିବାର ଆଶଙ୍କା ରହିଛି।
ଜଣେ ବିଶିଷ୍ଟ ଶିକ୍ଷାବିତ୍ଙ୍କର ଏଭଳି ସ୍ଥିତି ସମଗ୍ର ଦେଶ ପାଇଁ ଚିନ୍ତାଜନକ। ତେଣୁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇ ୱାଙ୍ଗଚୁକ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଜବରଦସ୍ତ ଖାଦ୍ୟ ଖୁଆଇବା ପାଇଁ ଆବେଦନରେ ଦାବି କରାଯାଇଛି। ଅନ୍ୟପଟେ, ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦର୍ଶନକାରୀଙ୍କ ଦାବି ଉପରେ ଗମ୍ଭୀରତାର ସହ ବିଚାର କରିବାକୁ ଅନୁରୋଧ କରିଛନ୍ତି।
Also Read: 'ଯଦି ଇ୨୦ ଦରକାର ନାହିଁ, ୧୦୦% ପେଟ୍ରୋଲ କିଣନ୍ତୁ, କିନ୍ତୁ ଅଧିକ ଟଙ୍କା ଦେବାକୁ ପଡିବ'