ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ନେଇ ସମଗ୍ର ଓଡ଼ିଶା ସହ ଦେଶ-ବିଦେଶର ଭକ୍ତଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହାରି ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆସନ୍ତାକାଲିର ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୀତିକାନ୍ତି ଓ କାର୍ଯ୍ୟସୂଚୀ ପ୍ରକାଶ କରିଛି। ସବୁଠୁ ବଡ଼ ଆକର୍ଷଣ ହେଉଛି, ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ତିନି ରଥ ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କରିବ।
ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ଆରମ୍ଭ ହେବ। ଏହାପରେ ସକାଳ ୯ଟା ୩୦ରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ଏହି ସମୟରେ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପାରମ୍ପରିକ ରୀତିନୀତିରେ ରତ୍ନସିଂହାସନରୁ ପହଣ୍ଡି କରାଯାଇ ରଥ ଉପରକୁ ବିଜେ କରାଯିବ।
ତା'ପରେ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜଙ୍କ ଦ୍ୱାରା ପବିତ୍ର 'ଛେରା ପହଁରା' ନୀତି ସମ୍ପନ୍ନ ହେବ। ଏହି ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିରେ ସମାନତା ଓ ସେବାଭାବର ପ୍ରତୀକ ଭାବେ ପରିଚିତ। ଛେରା ପହଁରା ଶେଷ ହେବା ପରେ ଠିକ୍ ଅପରାହ୍ନ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ, ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ସମବେତ ହେବେ।
ଚଳିତବର୍ଷ ରଥଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଓ ସୁଚାରୁ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ନିର୍ଦ୍ଧାରିତ ସମୟସୂଚୀ ପାଳନ କରିବା, ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ଶୃଙ୍ଖଳା ବଜାୟ ରଖି ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ଆସନ୍ତାକାଲି ବଡ଼ଦାଣ୍ଡରେ ଯେତେବେଳେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଗଡ଼ିବ, ସେତେବେଳେ ପୁଣିଥରେ ସୃଷ୍ଟି ହେବ ଭକ୍ତି, ପରମ୍ପରା ଓ ବିଶ୍ୱାସର ଅଦ୍ୱିତୀୟ ଦୃଶ୍ୟ। ଏହି ଦିବ୍ୟ ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ନଜର ଏବେ ଶ୍ରୀକ୍ଷେତ୍ର ପୁରୀ ଉପରେ।