ପୁରୀ: ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ଶ୍ରୀମନ୍ଦିରର ରତ୍ନସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇଆସିବେ ଚତୁର୍ଦ୍ଧାମୂରତି । ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ । ଯାହାର ଟିକେ ଝଲକ ଦେଖିବାକୁ ଚାତକ କରି ଚାହିଁ ବସିଛନ୍ତି ବିଶ୍ୱର ଲକ୍ଷ ଲକ୍ଷ ଭକ୍ତ । ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ସେପଟେ ରଥଖଳାକୁ ଆଜ୍ଞାମାଳ ବିଜେ ପରେ ଆଜି ସିଂହଦ୍ୱାର ସମ୍ମୁଖରେ ତିନି ରଥ ଲାଗିଛି ।
ପ୍ରଥମେ ଶ୍ରୀମନ୍ଦିରରୁ ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରିଥିଲେ । ତିନି ରଥରେ ଆଜ୍ଞାମାଳ ବିଜେ ହୋଇଥିଲା । ଆଉ ସେହି ସମୟରେ ବାଜି ଉଠିଥିଲା ବିଜେ କାହାଳୀ । ବିଧି ଅନୁସାରେ ପ୍ରଥମେ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା । ଘଣ୍ଟ ନାଦରେ ତାଳେ ତାଳେ, ହରିବୋଲ ହୁଳହୁଳି ଶବ୍ଦରେ , ଭୋଇ ସେବାୟତ ଏବଂ ପୋଲିସ ବାହିନୀ ରଥକୁ ଟାଣି ଟାଣି ସିଂହଦ୍ୱାର ସମ୍ମୁଖକୁ ନେଇଥିଲେ । କିଛି ସମୟ ପାଇଁ ବଡ଼ଦାଣ୍ଡରେ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା ।
ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ବର୍ତ୍ତମାନ ସିଂହଦ୍ୱାର ସମ୍ମୁଖରେ ଗୁଣ୍ଡିଚା ମନ୍ଦିରକୁ ମୁଖ କରି ତିନି ରଥ ଦଣ୍ଡାୟମାନ ହୋଇଛନ୍ତି ।