ଭୁବନେଶ୍ୱର: ଏକ ନିର୍ଦ୍ଧିଷ୍ଟ ୱେବ୍ ଚ୍ୟାନେଲ୍ ମାଲିକ ସାମ୍ବାଦିକ ସୁଧାଂଶୁ ଶେଖର ରାଉତଙ୍କ ପାଇଁ ଅଡ଼ୁଆ ବଢ଼ିଛି । ସାମାଜିକ ଗଣମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସାମ୍ବାଦିକ ସୁଧାଂଶୁଭଙ୍କୁ ବିରୋଧରେ ମାମଲା ରୁଜୁ କରିବାକୁ ବିଭାଗ ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ଥାନାକୁ ନିର୍ଦ୍ଦେଶ ଜାରି ହୋଇଛି । ସୁଧାଂଶୁ ଶେଖରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।
ଘରୋଇ ୱେବ୍ ଚ୍ୟାନେଲ୍ ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଏକ କାର୍ଯ୍ୟକ୍ରମରେ ସୁଧାଂଶୁ ଖୋଲାମଞ୍ଚରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଯେ ମନ୍ତ୍ରୀ ଉକ୍ତ ଖବର ଚାପି ଦେବାକୁ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ । ଏହି ଖବର ବିଷୟରେ ପ୍ରସାରଣ ନ କରିବାକୁ ମନ୍ତ୍ରୀ କହିଥିଲେ ।
ସେପଟେ ସୁଧାଂଶୁଙ୍କର ଆଉ ଏକ ଅଡ଼ିଓ କଲ୍ ଭାଇରାଲ୍ ହେଉଛି । ଅଡ଼ିଓରେ ସ୍ପଷ୍ଟ ଶୁଭୁଛି ଯେ ଜଣେ ବ୍ୟକ୍ତି କହିଛନ୍ତି, “ଗଣ୍ଡ (ଗଣଶିକ୍ଷା ମନ୍ତ୍ରୀ)ଙ୍କୁ ମାରିବାକୁ ବିଜେଡ଼ିରୁ ଅଫର୍, କ’ଣ କରିବା ? କିଏ କହିଛି, ନାଁ କହିପାରିବି ନାହିଁ” । ବିଜେପି ବାଲା ଟଙ୍କାଟିଏ ଦେବେନି । ସେ କହିଛନ୍ତି ଏହାକୁ ଯେତେ ହାର୍ଡ କରିପାରିବେ କରନ୍ତୁ । ଆମକୁ ବି ସଂସ୍ଥା ବଞ୍ଚାଇବାକୁ ପଡ଼ିବ । ଏହି କଥାର ଅର୍ଥ ବିଜେଡ଼ି ଟଙ୍କା ଯାଚିଛି ଯେ ଗଣ ଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ଖବର ପ୍ରସାରଣ କରିବାକୁ ।
ଏହା ପରେ ଆଉ ଏକ ଅଡ଼ିଓରେ ଜଣେ ବ୍ୟକ୍ତି କହୁଛନ୍ତି, ଭାଇ ତୁମେ ଏକ କ’ଣ କହିଦେଲ । ମନ୍ତ୍ରୀ କେଉଁଠୁ ଟଙ୍କା ଯାଚିଥିଲେ, ତାଙ୍କୁ କିଏ କହିଛନ୍ତି ତାହାର ପ୍ରମାଣ ମାଗୁଛନ୍ତି ମୋତେ ସେମାନେ । ସେପଟେ ଅନ୍ୟ ଜଣେ ବ୍ୟକ୍ତି ଉତ୍ତର ଦେଉଛନ୍ତି, “ପାଟିରୁ ବାହାରି ଗଲା, ଆମ ଉପରେ କେସ୍ କରନ୍ତୁ ଓଲଟା ସେମାନେ ଫସିବେ” । “କିନ୍ତୁ ମୋର ଏମିତି କହିବାଟା ମଞ୍ଚରେ ଠିକ୍ ହେଲାନି।” “ମୋର ସରକାର ଉପରେ ଟିକେ ରାଗ ଥିଲା, ଇମୋସନାଲ୍ ହେଇକି କହିଦେଲି, ମୋର ଏଟା ଭୁଲ ହୋଇଗଲା। ହଉ ତୁମେ ବ୍ୟସ୍ତ ହୁଅନି । ଯାହା ହେବ ଦେଖାଯିବ।”
ଭାଇରାଲ ଅଡ଼ିଓ ସୁଧାଂଶୁ ଏବଂ ତାଙ୍କର ଜଣେ ପ୍ରତିନିଧିଙ୍କର ହୋଇଥିବା ଚର୍ଚ୍ଚା ହେଉଛି । ତଥାପି ଏ ନେଇ କୌଣସି ସ୍ପଷ୍ଟତା ଆସିନାହିଁ ।
ଏହାକୁ ନେଇ ଗତକାଲି ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ମନ୍ତ୍ରୀଙ୍କର କିଛି ସମର୍ଥକ ଏତଲା ଦେଇ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।