ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ କମିଟି (CCEA) ବୈଠକରେ ଓଡ଼ିଶା ଓ ଝାରଖଣ୍ଡ ପାଇଁ ୩,୯୦୭ କୋଟି ଟଙ୍କା ବ୍ୟୟର ଦୁଇଟି ବୃହତ୍ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଳ ଯାତାୟାତ ଅଧିକ ସୁଗମ ହେବା ସହ ମାଲ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଇବ।
ମଞ୍ଜୁରୀ ପାଇଥିବା ଦୁଇଟି ପ୍ରମୁଖ ପ୍ରକଳ୍ପ ହେଉଛି ପାରାଦୀପ–ହରିଦାସପୁର ରେଳପଥର ଡବଲିଂ ଏବଂ ରାଜଖରସୱାନ–ଡାଙ୍ଗୁଆପୋସି ମଧ୍ୟରେ ଚତୁର୍ଥ ରେଳ ଲାଇନ୍ ନିର୍ମାଣ। ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ରେଳ ନେଟୱାର୍କରେ ପ୍ରାୟ ୧୪୫ କିଲୋମିଟର ନୂଆ କ୍ଷମତା ଯୋଡ଼ାଯିବ।
ଏହି ପ୍ରକଳ୍ପଗୁଡ଼ିକ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ କାର୍ଯ୍ୟକାରୀ ହେବ। ଏହା ମାଧ୍ୟମରେ ରେଳ, ସଡ଼କ ଓ ବନ୍ଦର ଭଳି ବିଭିନ୍ନ ପରିବହନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବଢ଼ିବ ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।
ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଏହି ପ୍ରକଳ୍ପ ଯୋଗୁଁ ଅଧିକ ଟ୍ରେନ୍ ଚଳାଚଳ ସମ୍ଭବ ହେବ ଏବଂ ବ୍ୟସ୍ତ ରେଳପଥରେ ଟ୍ରାଫିକ୍ ଚାପ କମିବ। ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ଉଭୟର ଚଳାଚଳ ଅଧିକ ସୁରୁଖୁରୁ ହେବ।
ଏହି ଦୁଇ ପ୍ରକଳ୍ପର ସୁଫଳ ଓଡ଼ିଶା ଓ ଝାରଖଣ୍ଡର ୪ଟି ଜିଲ୍ଲାର ପ୍ରାୟ ୧,୫୨୬ଟି ଗାଁ ଏବଂ ୧୪ ଲକ୍ଷରୁ ଅଧିକ ଲୋକ ପାଇବେ। ନିର୍ମାଣ କାମ ସମୟରେ ବହୁ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ। ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହି ପ୍ରକଳ୍ପ ବଡ଼ ପ୍ରୋତ୍ସାହନ ଦେବ। ଲଳିତଗିରି ବୌଦ୍ଧ ସ୍ମାରକ, କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ଝାରଖଣ୍ଡର ମେଘାହାତୁବୁରୁ ପାହାଡ଼ ପରି ପର୍ଯ୍ୟଟନସ୍ଥଳୀକୁ ଯାତାୟାତ ଆହୁରି ସହଜ ହେବ।
ପାରାଦୀପ–ହରିଦାସପୁର ଏବଂ ରାଜଖରସୱାନ–ଡାଙ୍ଗୁଆପୋସି ରେଳପଥ ଖଣିଜ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଇଲା, ଲୁହାପଥର, ଚୂନପଥର, ଡୋଲୋମାଇଟ୍ ଓ ଜିପ୍ସମ୍ ଭଳି ଖଣିଜ ଦ୍ରବ୍ୟର ପରିବହନ ଅଧିକ ଦ୍ରୁତ ହେବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପ୍ରତିବର୍ଷ ପ୍ରାୟ ୪୪ ମିଲିୟନ୍ ଟନ୍ ଅତିରିକ୍ତ ମାଲ ପରିବହନ କରାଯାଇପାରିବ।
କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ରେଳ ପରିବହନ ବୃଦ୍ଧି ଯୋଗୁଁ ସଡ଼କ ଉପରେ ନିର୍ଭରଶୀଳତା କମିବ। ଫଳରେ ପ୍ରତିବର୍ଷ ପ୍ରାୟ ୬ କୋଟି ଲିଟର ଇନ୍ଧନ ସଞ୍ଚୟ ହେବା ସହ ୨୯ କୋଟି କିଲୋଗ୍ରାମ କାର୍ବନ ନିର୍ଗମନ ହ୍ରାସ ପାଇବ, ଯାହା ପ୍ରାୟ ୧ କୋଟି ଗଛ ଲଗାଇବା ସହ ସମାନ ପରିବେଶଗତ ଲାଭ ବୋଲି ସରକାର ଦାବି କରିଛନ୍ତି। ଏହି ପ୍ରକଳ୍ପ ଓଡ଼ିଶାର ଶିଳ୍ପ, ବାଣିଜ୍ୟ ଓ ଯାତାୟାତ କ୍ଷେତ୍ରକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।