ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ସ୍ତରରେ ଗର୍ବିତ କରିଥିବା ଓଡ଼ିଆ ଝିଅ ଗାୟିକା ଜ୍ୟୋତିର୍ମୟୀ ନାୟକ ‘ଇଣ୍ଡିଆନ୍ ଆଇଡଲ୍’ର ଅନ୍ତିମ ପର୍ଯ୍ୟାୟରେ ପହଁଚିଛନ୍ତି । ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ସ୍ଥାନ ଅକ୍ତିଆର କରିଛନ୍ତି । ଜ୍ୟୋତିର୍ମୟୀ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି ।
ଫାଇନାଲ୍ ପୂର୍ବରୁ ଜ୍ୟୋତିର୍ମୟୀ ଓଡ଼ିଶାକୁ ଆସିଛନ୍ତି । ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜ୍ୟୋତିର୍ମୟୀ ନିଜର ସମସ୍ତ ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କକୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ଏକ ବର୍ଷ ଧରି ତାଙ୍କର ଏହି ଯାତ୍ରା ଜାରି ରହିଥିଲା, ଯାହା ଆଜି ଶେଷ ପର୍ଯ୍ୟାୟରେ ପହଁଚିଛି । ଲୋକମାନଙ୍କ ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଫାଇନାଲରେ ବିଜୟୀ ପାଇଁ ମଧ୍ୟ ସେ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି ।
ସୋନି ଟିଭିରେ ପ୍ରସାରିତ ‘ଇଣ୍ଡିଆନ୍ ଆଇଡଲ୍-16’ରେ ଜ୍ୟୋତିର୍ମୟୀ ଅଂଶଗ୍ରହଣ କରିଥିଲେ । ତାଙ୍କର ଏହି ଯାତ୍ରା ବହୁତ କଠିନ ରହିଥିଲା । ଅଡ଼ିସନର ପ୍ରଥମ ରାଉଣ୍ଡରେ ସିଲ୍କେଟ ହେବା ପରେ ଦ୍ୱିତୀୟ ରାଉଣ୍ଡରେ ଅଟକି ଥିଲେ । ଗଳାରେ ସମସ୍ୟା ଯୋଗୁଁ ତାଙ୍କୁ ବିଚାରକ ମଣ୍ଡଳୀ ଭିନ୍ନ ଗୀତ ଗାଇବାକୁ ସୁଯୋଗ ଏବଂ ସମୟ ଦେଇଥିଲେ । ଯାହାର ଫଳସ୍ୱରୂପ ସେ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ଆଉ ଅଟକି ନ ଥିଲେ । ପ୍ରତ୍ୟେକ ରାଉଣ୍ଡରେ ନିଜ ସୁମଧୁର କଣ୍ଠ ସ୍ୱରରେ ବିଚାରକ ମଣ୍ଡଳୀ ଏବଂ ଦର୍ଶକଙ୍କ ହୃଦୟ ଜିତିଥିଲେ । ଏବେ ସେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜ୍ୟୋତିର୍ମୟୀଙ୍କ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ବିଜୟୀ ପାଇଁ ପ୍ରାର୍ଥନା କରିଛନ୍ତି ।
ଜ୍ୟୋତିର୍ମୟୀଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲାରେ ଅଟେ । ସେ କଟକରୁ ନିଜର ଗୀତ ଗାଇବା ଜୀବନ ଆରମ୍ଭ କରିଥିଲେ । ସେ ଓଲିଉଡରେ ନାମୀଦାମୀ ଗାୟକ ଗାୟିକାଙ୍କ ମଧ୍ୟରୁ ଜଣେ । ସେ ଏବେ ପର୍ଯ୍ୟନ୍ତ ୫୦୦୦ ହଜାରରୁ ଉର୍ଦ୍ଧ୍ୱ ଗୀତ ଗାଇସାରିଛନ୍ତି । ବଲିଉଡର ପ୍ରସିଦ୍ଧ କଣ୍ଠଶୀଳ୍ପୀ ଉଦିତ ନାରାୟଣ ଏବଂ ଶାନ୍ ଙ୍କ ସହିତ ମିଳିତ କଣ୍ଠଦାନ କରିଛନ୍ତି ।
ଜ୍ୟୋତିର୍ମୟୀ ପୂର୍ବରୁ ଓଡ଼ିଶାରେ ଘରେ ଘରେ ବେଶ ପରିଚିତ ଥିଲେ । ବିଶେଷ କରି ତାଙ୍କ କଣ୍ଠର ଭଜନ ଶ୍ରୋତାଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥାଏ । ଏବେ ଇଣ୍ଡିଆନ ଆଇଡଲ୍ ମଞ୍ଚରେ ସେ ଟପ୍-୫ ଫାଇନଲିଷ୍ଟ ହୋଇ ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ ପାଲଟିଛନ୍ତି। ଏଥର ଇଣ୍ଡିଆନ ଆଇଡଲ୍ ଟ୍ରଫି ଓଡ଼ିଆଙ୍କ ହାତକୁ ଆସିବ ବୋଲି ସମସ୍ତେ ବେଶ୍ ଆଶାବାଦୀ ଅଛନ୍ତି।
ଜ୍ୟୋତିର୍ମୟୀଙ୍କ ନିଜ ସ୍ୱର ଓ ଗୀତ ମାଧ୍ୟମରେ ଅନେକ କ୍ୟାନ୍ସର ରୋଗୀଙ୍କୁ ‘ମ୍ୟୁଜିକ୍ ଥେରାପି’ ଦେଇ ମାନସିକ ଶାନ୍ତି ପ୍ରଦାନ କରନ୍ତି । ତାଙ୍କର ଏହି ମହତ ଗୁଣ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ଭିନ୍ନ କରିଛି ବୋଲି ସ୍ଥାନୀୟ ଶୁଭେଚ୍ଛୁମାନେ କହିଛନ୍ତି । ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ୍ ସିଜିନ୍-୧୬ର ବିଜେତା ହେବେ କି ନାହିଁ, ତାହା ତ ଗ୍ରାଣ୍ଡ ଫିନାଲେ ଦିନ ହିଁ ଜଣାପଡ଼ିବ, କିନ୍ତୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ସେ ଗର୍ବିତ କରିସାରିଛନ୍ତି ।