ଚେନ୍ନାଇ: ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି। ସଙ୍ଗୀତ ସାମ୍ରାଜ୍ୟର କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ଦେହାନ୍ତ ହୋଇଛି। ନିଜର ସୁମଧୁର ସ୍ୱରରେ ୬ ଦଶନ୍ଧି ଧରି କୋଟି କୋଟି ଶ୍ରୋତାଙ୍କ ହୃଦୟ ଜିତିଥିବା ଜାନକୀ ଆମ୍ମାଙ୍କ ବିୟୋଗରେ ସମଗ୍ର ସଙ୍ଗୀତ ତଥା ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (ଥାଲାପତି ବିଜୟ) ଏବଂ ସୁପରଷ୍ଟାର ରଜନୀକାନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, "ଜାନକୀ ଆମ୍ମାଙ୍କ ସ୍ୱର କେବଳ ଏକ ସଙ୍ଗୀତ ନଥିଲା, ବରଂ ତାହା ଥିଲା କୋଟି କୋଟି ଲୋକଙ୍କ ଭାବନା। ତାଙ୍କର ବିୟୋଗ ଭାରତୀୟ ସିନେମା ଓ ସଙ୍ଗୀତ ପାଇଁ ଏକ ଯୁଗର ଅବସାନ। ସେହିପରି ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ମୋର ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ତାଙ୍କର ଗୀତ ଚମତ୍କାର ଯାଦୁ ସୃଷ୍ଟି କରିଥିଲା। ସଙ୍ଗୀତ ଜଗତର ନାଇଟିଙ୍ଗେଲ୍ଙ୍କୁ ହରାଇ ଆଜି ଆମେ ସମସ୍ତେ ସ୍ତବ୍ଧ।
୧୭ଟି ଭାଷା ଓ ୪୮ ହଜାର ଗୀତର ଅଭୁଲା ସାମ୍ରାଜ୍ୟ
ଏସ. ଜାନକୀ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ ଏବଂ ଓଡ଼ିଆ ସମେତ ପାଖାପାଖି ୧୭ଟି ଭାରତୀୟ ଭାଷାରେ ୪୮,୦୦୦ ରୁ ଅଧିକ ଗୀତ ଗାଇ ଏକ ଅଦ୍ଭୁତ ରେକର୍ଡ ସୃଷ୍ଟି କରିଥିଲେ। ଓଡ଼ିଆ ସିନେମାରେ ମଧ୍ୟ ତାଙ୍କର ଅନେକ ସୁପରହିଟ୍ ଗୀତ ଓଡ଼ିଆ ଶ୍ରୋତାଙ୍କ ମନରେ ସର୍ବଦା ଅମର ହୋଇ ରହିବ। ପ୍ରଖ୍ୟାତ ଗାୟକ ଏସ. ପି. ବାଲସୁବ୍ରମଣ୍ୟମ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଇଲୟାରାଜାଙ୍କ ସହ ତାଙ୍କର ଯୋଡ଼ି ସେ ସମୟରେ ଚଳଚ୍ଚିତ୍ର ଜଗତକୁ ଏକ ନୂତନ ଦିଶା ଦେଇଥିଲା।
ପୁରସ୍କାରଠାରୁ ବଡ଼ ଥିଲା ସ୍ୱାଭିମାନ
୪ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏସ. ଜାନକୀ ନିଜର ସ୍ୱାଭିମାନ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ। ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା 'ପଦ୍ମଭୂଷଣ' ସମ୍ମାନକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ ସବୁବେଳେ ଚାହୁଁଥିଲେ କଳାକାରଙ୍କୁ ଉପଯୁକ୍ତ ସମୟରେ ସମ୍ମାନ ମିଳିବା ଉଚିତ। ୨୦୧୬ ମସିହାରେ ସେ ସଙ୍ଗୀତ ଦୁନିଆରୁ ସନ୍ନ୍ୟାସ ନେଇଥିଲେ। ଆଜି ତାଙ୍କର ଭୌତିକ ଶରୀର ଦୁନିଆରୁ ବିଦାୟ ନେଇଥିଲେ ମଧ୍ୟ, ତାଙ୍କର ସୁମଧୁର ସ୍ୱର ସବୁଦିନ ପାଇଁ ଅମର ହୋଇ ରହିବ।