ଭୁବନେଶ୍ୱର: ରାଜ୍ୟରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଅଧିକାରୀମାନଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମ୍ପତି OAS-୨୦୨୩ ବ୍ୟାଚର ପ୍ରୋବେସନରୀ ଅଧିକାରୀମାନଙ୍କୁ ଜନକଲ୍ୟାଣ ଯୋଜନା ବିଷୟରେ ଗଭୀର ଜ୍ଞାନ ରଖି ଲୋକଙ୍କ ସେବାରେ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି।
ଲୋକସେବା ଭବନର ଅଭିଷେକ ହଲ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୧ ଜଣ OAS ପ୍ରୋବେସନରୀ ଅଧିକାରୀଙ୍କ ସହ ମତବିନିମୟ କରି ରାଜ୍ୟପାଳ କହିଥିଲେ, ଜଣେ ପ୍ରଶାସନିକ ଅଧିକାରୀଙ୍କୁ କେବଳ କାର୍ଯ୍ୟାଳୟରେ ବସି କାମ କଲେ ହେବନାହିଁ। ସେମାନେ ଗାଁ ଓ ତୃଣମୂଳ ସ୍ତରର ବାସ୍ତବ ସ୍ଥିତିକୁ ବୁଝିବା ସହ ଲୋକଙ୍କ ସମସ୍ୟାକୁ ଅନୁଭବ କରିବା ଆବଶ୍ୟକ। ତାହାହେଲେ ହିଁ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ।
ସେ ଅଧିକାରୀମାନଙ୍କୁ ପିଏମ୍-ଜନ ଆରୋଗ୍ୟ ଯୋଜନା (PM-JAY), ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରମୁଖ ଜନକଲ୍ୟାଣ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଅବଗତ ରହିବାକୁ କହିଥିଲେ। ସେହିପରି ସାମାଜିକ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରାଇବା ଓ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।
ବିଶ୍ୱ ଅର୍ଥନୀତିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରି ରାଜ୍ୟପାଳ କହିଥିଲେ, ପଶ୍ଚିମ ଏସିଆର ଭୂ-ରାଜନୈତିକ ପରିସ୍ଥିତି ଓ ଭାରତର ଅଧିକ ପରିମାଣର ଅଶୋଧିତ ତୈଳ ଆମଦାନୀ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ପକାଉଛି। ତେଣୁ ପେଟ୍ରୋଲ ଓ ଡିଜେଲ ଗାଡ଼ି ବଦଳରେ ବୈଦ୍ୟୁତିକ ଯାନ ବ୍ୟବହାର, ଘରେ ସୋଲାର ପ୍ୟାନେଲ ସ୍ଥାପନ ଏବଂ ଶକ୍ତି ସଞ୍ଚୟ ଭଳି ଅଭ୍ୟାସ ଗ୍ରହଣ କରିବାକୁ ସେ ଆହ୍ୱାନ କରିଥିଲେ।
କୋଭିଡ୍ ମହାମାରୀ ସମୟରେ ଭାରତ ଆତ୍ମନିର୍ଭରତା, ନବସୃଜନ ଓ ଡିଜିଟାଲ ପରିବର୍ତ୍ତନ ମାଧ୍ୟମରେ ବଡ଼ ଚ୍ୟାଲେଞ୍ଜକୁ ସଫଳତାରେ ମୁକାବିଲା କରିଥିବା ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ, ଜନସେବାରେ ସ୍ୱଚ୍ଛତା, ସତତା ଓ ଦାୟିତ୍ୱବୋଧ ହିଁ ଜଣେ ଭଲ ପ୍ରଶାସନିକ ଅଧିକାରୀଙ୍କ ସବୁଠୁ ବଡ଼ ପରିଚୟ।