ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର କାମକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ୱାଟର ଆଣ୍ଡ ସାନିଟେସନ ମିଶନ (OWSM) ଏବଂ ଜଳ ଜୀବନ ମିଶନର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା।
ବୈଠକରେ ସୂଚନା ଦିଆଯାଇଥିଲା ଯେ, ରାଜ୍ୟରେ ମୋଟ ୧୯,୦୮୬ଟି କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୧୮,୭୩୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ଅକ୍ଟୋବର ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସେହିପରି ୨୦୭ଟି ମେଗା ପାଇପ୍ ୱାଟର ସପ୍ଲାଇ ପ୍ରକଳ୍ପ ମଧ୍ୟରୁ ୪୨ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ, ଆଉ ୪୪ଟି ପ୍ରକଳ୍ପରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପାଣି ଯୋଗାଣ ଆରମ୍ଭ ହୋଇଛି। ସମସ୍ତ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନଜରଦାରି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି।
ସୌର ଶକ୍ତି ଆଧାରିତ ପାନୀୟ ଜଳ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ମୋଟ ୮,୮୬୩ଟି ପ୍ରକଳ୍ପ ମଧ୍ୟରୁ ୬,୬୩୭ଟି କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି ପ୍ରକଳ୍ପଗୁଡ଼ିକୁ ନଭେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଯୋଜନା ରହିଛି।
'ହର ଘର ଜଳ' ଯୋଜନା ଅଧୀନରେ ରାଜ୍ୟର ୧୬,୭୨୪ଟି ଗାଁକୁ ପାନୀୟ ଜଳ ସଂଯୋଗ ଦିଆଯାଇଥିବା ବେଳେ ୧୨,୪୮୪ଟି ଗାଁରେ ନିୟମିତ ଜଳ ଯୋଗାଣ ସୁନିଶ୍ଚିତ ହୋଇଛି। ବାକି ଗାଁଗୁଡ଼ିକୁ ମଧ୍ୟ ଅକ୍ଟୋବର ୨୦୨୬ ସୁଦ୍ଧା ଏହି ସୁବିଧା ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ବୈଠକରେ ଜଳ ଜୀବନ ମିଶନ ୨.୦, ଜଳ ଉତ୍ସର ସ୍ଥାୟୀ ସୁରକ୍ଷା, ଜଳର ଗୁଣବତ୍ତା ଯାଞ୍ଚ, ଗ୍ରାମସ୍ତରରେ ସମୁଦାୟର ଅଂଶଗ୍ରହଣ, ଡିଜିଟାଲ ନଜରଦାରି, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବିଷୟ ଉପରେ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ରାଜ୍ୟର ପ୍ରତ୍ୟେକ ଗ୍ରାମବାସୀଙ୍କୁ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିଛି।