ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ବରିଷ୍ଠ IAS ଅଧିକାରୀ ସୌରଭ ଗର୍ଗଙ୍କ ଉପରେ ପୁଣି ଭରସା ପ୍ରକାଶ କରିଛି କେନ୍ଦ୍ର ସରକାର। ଅବସର ନେବା ପରେ ମଧ୍ୟ ତାଙ୍କୁ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI)ର ସଚିବ ଭାବେ ଆଉ ଏକ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏବେ ସେ ୩୧ ଜୁଲାଇ ୨୦୨୭ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିବେ।
କେନ୍ଦ୍ରୀୟ ନିଯୁକ୍ତି କ୍ୟାବିନେଟ କମିଟି (ACC) ଏହି କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଥିବାବେଳେ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DoPT) ପକ୍ଷରୁ ଏହାର ଆଦେଶ ଜାରି କରାଯାଇଛି।
୧୯୯୧ ବ୍ୟାଚ୍ର ଓଡ଼ିଶା କ୍ୟାଡର IAS ଅଧିକାରୀ ସୌରଭ ଗର୍ଗ ୩୧ ଜୁଲାଇ ୨୦୨୪ରେ ସରକାରୀ ସେବାରୁ ଅବସର ଗ୍ରହଣ କରିଥିଲେ। ଅବସର ପରେ ତାଙ୍କୁ ଚୁକ୍ତିଭିତ୍ତିକ ଭାବେ MoSPI ସଚିବ ପଦରେ ନିଯୁକ୍ତ କରାଯାଇଥିଲା। ପ୍ରଥମେ ତାଙ୍କର କାର୍ଯ୍ୟକାଳ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ୩୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଆଉ ଏକ ବର୍ଷର ସମ୍ପ୍ରସାରଣ ମିଳିଛି। DoPT ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ, ସୌରଭ ଗର୍ଗ ପୂର୍ବଭଳି ଜାତୀୟ ପରିସଂଖ୍ୟାନ ଆୟୋଗ (National Statistics Commission)ର ସଚିବ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇବେ।
ସୌରଭ ଗର୍ଗ ୨୦୨୪ ଏପ୍ରିଲ ୧୫ରୁ MoSPI ସଚିବଙ୍କ ଅତିରିକ୍ତ ଦାୟିତ୍ୱ ନେଇଥିଲେ। ସେତେବେଳେ ସେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ। ଅବସର ପୂର୍ବରୁ ତାଙ୍କୁ ଏହି ମନ୍ତ୍ରଣାଳୟର ପୂର୍ଣ୍ଣକାଳୀନ ସଚିବ ଭାବେ ନିଯୁକ୍ତ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସୌରଭ ଗର୍ଗଙ୍କ ପ୍ରଶାସନିକ ଦକ୍ଷତା ଓ ଅଭିଜ୍ଞତା ପ୍ରତି ଥିବା ଭରସାର ପ୍ରତିଫଳନ ବୋଲି ମନେ କରାଯାଉଛି। ନୂତନ କାର୍ଯ୍ୟକାଳ ସହ ସେ ଦେଶର ପରିସଂଖ୍ୟାନ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ଆହୁରି ଏକ ବର୍ଷ ନେତୃତ୍ୱ ଦେବେ।