ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ୨୦୨୩ ମସିହାର ଏକ ନାବାଳିକା ଦୁଷ୍କର୍ମ ଓ ମାନବ ଚାଲାଣ ମାମଲାରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ କଡ଼ା ଦଣ୍ଡାଦେଶ ଦେଇଛନ୍ତି।
କୋର୍ଟଙ୍କ ରାୟ ଅନୁସାରେ, ମଧୁକର ଟାଣ୍ଡିଆ ଓରଫ ମିତୁ ଏବଂ ହେମନ୍ତ ମାଝୀ ଓରଫ ଖଇରୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସେହିପରି ଶୁଭମ ଧରୁଆ ଓ ସନାତନ କିଷାନ ଓରଫ ମନାଙ୍କୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ୨୦୨୩ ମସିହାରେ ଲେଫ୍ରିପଡ଼ା ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଏହି ୪ ଜଣ ମିଶି ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଉତ୍ତର ପ୍ରଦେଶର ମଥୁରାକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ପୀଡ଼ିତାଙ୍କ ପରିବାରର ଅଭିଯୋଗ ପରେ ଲେଫ୍ରିପଡ଼ା ପୁଲିସ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଥିଲା। ପରେ ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ ମାମଲାର ଶୁଣାଣି ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଚାଲିଥିଲା।
ସାକ୍ଷୀଙ୍କ ବୟାନ, ପୁଲିସର ତଦନ୍ତ ଓ ଉପସ୍ଥାପିତ ପ୍ରମାଣକୁ ଆଧାର କରି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନାବାଳିକାଙ୍କ ସହ ଦୁଷ୍କର୍ମ ଓ ମାନବ ଚାଲାଣ ଭଳି ଗୁରୁତର ଅପରାଧକୁ ଦୃଷ୍ଟିରେ ରଖି କଡ଼ା ଦଣ୍ଡ ଦିଆଯାଇଥିବା କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ରାୟ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧ ବିରୋଧରେ ଏକ କଠୋର ବାର୍ତ୍ତା ବୋଲି ଆଇନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।