ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। କଳା ସାଆନ୍ତଙ୍କ ଆଗମନକୁ ଚାହିଁ ରହିଛି କୋଟି ଭକ୍ତଙ୍କ ଆଖି। ଏସବୁ ଭିତରେ ପୁରୀରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା। ସତେ ଯେମିତି କାଳିଆ ସାଆନ୍ତ ବଡ଼ଦାଣ୍ଡକୁ ଓହ୍ଲାଇବା ପୂର୍ବରୁ ସାରା ପଥକୁ ଜଳରେ ଧୋଇ ପବିତ୍ର କରୁଛନ୍ତି ସ୍ୱୟଂ ଇନ୍ଦ୍ରଦେବ। ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଉତ୍ସାହରେ କୌଣସି କମି ଦେଖିବାକୁ ମିଳିନି ଏବଂ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏବେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ।
ସିଂହଦ୍ୱାରରେ ୩ ରଥ ମହାପ୍ରଭୁଙ୍କ ସମ୍ମତି ସୂଚକ ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ରଥ ଚକଡ଼ାକୁ ଟଣାଯାଇଛି। ସୁରକ୍ଷାକର୍ମୀ ଓ ଶ୍ରଦ୍ଧାଳୁମାନେ ମିଳିତ ଭାବେ ରଥକୁ ଟାଣି ଆଣିଥିବା ବେଳେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଛି। ରାତି ପାହିଲେ ବଡ଼ଦେଉଳର ରତ୍ନବେଦୀରୁ କୋଟି କୋଟି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଠାକୁର।
ବୁଧବାର ଦିନତମାମ ପୁରୀରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରେ ଏହାର ପ୍ରକୋପ ଆହୁରି ବଢ଼ିଯାଇଛି। ବର୍ଷା ଯୋଗୁଁ ବଡ଼ଦାଣ୍ଡରେ ପାଣି ଜମି ରହିବା ସହ ଯାତାୟାତରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି ଏବଂ ଶ୍ରଦ୍ଧାଳୁମାନେ ବର୍ଷାରେ ଓଦା ହୋଇ କଲବଲ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରୁ ପାଣି ନିଷ୍କାସନ ପାଇଁ ପୌରପାଳିକା ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ସେଠାରେ ସଜାଗ ରଖାଯାଇଛି।
ଘୋଷଯାତ୍ରା ପୂର୍ବରୁ ଆଜି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶରୀର ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ନୀତି କରାଯିବ। ପହଣ୍ଡି ସମୟରେ ଶ୍ରୀବିଗ୍ରହମାନଙ୍କ ଶରୀରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସେନାପଟା ଲାଗି କରାଯିବ ଏବଂ ପହଣ୍ଡି ବିଜେକୁ ସୁରୁଖୁରୁରେ କରିବା ପାଇଁ ବାହୁଟକଣ୍ଟ ନୀତି ମଧ୍ୟ ସମ୍ପନ୍ନ ହେବ। ମହାପ୍ରଭୁଙ୍କ ନୀତିକାନ୍ତିକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ଘୋଷଯାତ୍ରା ପାଇଁ ସେବାୟତମାନେ ବେଶ୍ ଉତ୍ସାହିତ ଅଛନ୍ତି।
ସକାଳୁ ଆରମ୍ଭ ହେବ ମଙ୍ଗଳ ଆଳତି ଓ ପହଣ୍ଡି ପୂଜାବିଧି
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେବ। ଏହାପରେ ସକାଳ ୭ଟାରେ ସୂର୍ଯ୍ୟପୂଜା, ୮ଟାରେ ସକାଳ ଧୂପ ଏବଂ ୯ଟାରେ ତିନି ରଥର ପ୍ରତିଷ୍ଠା ନୀତି ଶେଷ ହେବ। ଏହାପରେ ଶ୍ରୀବିଗ୍ରହମାନଙ୍କ ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ ନୀତି ସକାଳ ୯ଟା ୩୦ ମିନିଟ୍ରେ ଆରମ୍ଭ ହୋଇ ଦିନ ସାଢ଼େ ୧୨ଟାରେ ଶେଷ ହେବ।
ଅପରାହ୍ନ ୪ଟାରେ ଗଡ଼ିବ ରଥ
ପହଣ୍ଡି ଶେଷ ହେବା ପରେ ଦିନ ୨ଟାରୁ ୩ଟା ମଧ୍ୟରେ ତିନି ରଥରେ ଛେରା ପହଁରା ସେବା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରଫିଟା ଏବଂ ଘୋଡ଼ା-ସାରଥୀ ଲାଗିବା କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା ଆରମ୍ଭ ହେବ ଏବଂ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଟାଣିବେ।