ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ କାଳିଆ ସାଆନ୍ତେର ଘୋଷ ଯାତ୍ରା । ନୀଳକନ୍ଦରରୁ ବାହାରି ଆଜି ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେବେ ବିଶ୍ୱ ନିଅନ୍ତା । ଜଗନ୍ନାଥମୟ ଶ୍ରୀକ୍ଷେତ୍ର । ଦାରୁବ୍ରହ୍ମଙ୍କ ଅପାର ଲୀଳାକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ଅବିଶ୍ରାନ୍ତ ବର୍ଷାକୁ ଖାତିର ନ କରି ବଡଦାଣ୍ଡରେ ହୋଇଛନ୍ତି ସମବେତ । ସକାଳୁ ନୀତିକାନ୍ତି ପରେ ଧାଡି ପହଣ୍ଡିରେ ବିରାଜିତ ହୋଇ ସାରିଛନ୍ତି ବଡ ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା । ଏବେ ଟାହିଆ ଲଗାଇ ସୁଶୋଭିତ ସଜବାଜରେ ପହଣ୍ଡିରେ ବିରାଜ ମାନ କରୁଛନ୍ତି କୋଟି ଓଡିଆର ମଉଡମଣି କଳାଠାକୁର ।
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଘଣ୍ଟ ହୁଳିହୁଳିରେ ହଳଧର ବଳଭଦ୍ର ଏବଂ ସେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ତାଳଧ୍ୱଜ ଓ ଦର୍ପଦଳନ ରଥରେ ବିରାଜିତ ହୋଇଛନ୍ତି । ଏହା ପରେ ବ୍ରହ୍ମାଣ୍ଡ ଠାକୁର ମହାବାହୁ ଜଗନ୍ନାଥ ବଡଦେଉଳର ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି । ଟାହିଆ ଓହ୍ଲାଇ ସେବାୟତଙ୍କ ଗହଣରେ ଧାଡି ପହଣ୍ଡିରେ ନନ୍ଦିଘୋଷ ରଥରେ ବିଜେ କରୁଛନ୍ତି ଜଗତରନାଥ ଜଗନ୍ନାଥ । ସେପଟେ ଶ୍ରୀକ୍ଷେତ୍ର ପୁରୀରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ତଥାପି ଏହି ବର୍ଷା ଭକ୍ତ ଉତ୍ସାହ ଏବଂ ଆବେଗକୁ କମ କରି ପାରିନି ।
ସିଂହଦ୍ୱାରରେ ୩ ରଥ ମହାପ୍ରଭୁଙ୍କ ସମ୍ମତି ସୂଚକ ଆଜ୍ଞାମାଳ ବିଜେ ହେବା ପରେ ଗତକାଲି ଅପରାହ୍ଣରେ ରଥଖଳାରୁ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ରଥ ଚକଡ଼ାକୁ ଟଣାଯାଇଥିଲା। ସୁରକ୍ଷାକର୍ମୀ ଓ ଶ୍ରଦ୍ଧାଳୁମାନେ ମିଳିତ ଭାବେ ରଥକୁ ଟାଣି ଆଣିଥିବା ବେଳେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ବଡ଼ଦେଉଳର ରତ୍ନବେଦୀରୁ କୋଟି କୋଟି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଠାକୁର।
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୭ଟାରେ ସୂର୍ଯ୍ୟପୂଜା, ୮ଟାରେ ସକାଳ ଧୂପ ଏବଂ ୯ଟାରେ ତିନି ରଥର ପ୍ରତିଷ୍ଠା ନୀତି ଶେଷ ହୋଇଥିଲା। ଶ୍ରୀବିଗ୍ରହମାନଙ୍କ ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ ନୀତି ସକାଳ ୯ଟା ୩୦ ମିନିଟ୍ରେ ଆରମ୍ଭ ହୋଇଛି। ଦିନ ସାଢ଼େ ୧୨ଟାରେ ଶେଷ ହେବ ବୋଲି ଆଶା କରାଯାଉଛି।
ପହଣ୍ଡି ଶେଷ ହେବା ପରେ ଦିନ ୨ଟାରୁ ୩ଟା ମଧ୍ୟରେ ତିନି ରଥରେ ଛେରା ପହଁରା ସେବା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରଫିଟା ଏବଂ ଘୋଡ଼ା-ସାରଥୀ ଲାଗିବା କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା ଆରମ୍ଭ ହେବ ଏବଂ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଟାଣିବେ।