ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଜୟ ଜଗନ୍ନାଥ, ହୁଳହୁଳି ଓ ଘଣ୍ଟବାଦ୍ୟରେ ଉଛୁଳି ପଡୁଛି ବଡଦାଣ୍ଡ । ବଡଦେଉଳ ରତ୍ନବେଦୀରୁ ଓହ୍ଲାଇ ଧାଡି ପହଣ୍ଡିରେ ବିରାଜମାନ କରି ସାରିଛନ୍ତି ଚତୁର୍ଦ୍ଧାମୂରତି । ବର୍ଷା ସତ୍ତ୍ୱେ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତ ସମବେତ ହୋଇଛନ୍ତି । କଳା ସାଆନ୍ତର ଝଲକଟିଏ ପାଇବା ପାଇଁ ବ୍ୟାକୁଳ ଭକତ ।
ରଥଯାତ୍ରାର ଆଦ୍ୟ ପର୍ବ ଅର୍ଥାତ ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଘଣ୍ଟ ହୁଳିହୁଳିରେ ହଳଧର ବଳଭଦ୍ର ଏବଂ ସେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ତାଳଧ୍ୱଜ ଓ ଦର୍ପଦଳନ ରଥରେ ବିରାଜିତ ହୋଇଛନ୍ତି । ଏହା ପରେ ବ୍ରହ୍ମାଣ୍ଡ ଠାକୁର ମହାବାହୁ ଜଗନ୍ନାଥ ବଡଦେଉଳର ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି । ଟାହିଆ ଓହ୍ଲାଇ ସେବାୟତଙ୍କ ଗହଣରେ ଧାଡି ପହଣ୍ଡିରେ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ଜଗତରନାଥ ଜଗନ୍ନାଥ । ଚକାନୟନର ଦର୍ଶନ ପାଇ ଭାବ ବିହ୍ୱଳ ହୋଇ ଉଠିଛନ୍ତି ଶ୍ରଦ୍ଧାଳୁ ।
ସେପଟେ ଶ୍ରୀକ୍ଷେତ୍ର ପୁରୀରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ତଥାପି ଏହି ବର୍ଷା ଭକ୍ତ ଉତ୍ସାହ ଏବଂ ଆବେଗକୁ କମ କରି ପାରିନି । ପହଣ୍ଡି ନୀତି ସଂପନ୍ନ ପରେ ଏବେ ଅବଶିଷ୍ଟ ନୀତି ରଥ ଉପରେ ଚାଲିଛି । ମଦନ ମୋହନ ବିଜେ ପରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ପରେ ୧ଟା ୩୦ରୁ ୨ଟା ଯାଏ ଚିତା ଲାଗି ନୀତି ସଂପନ୍ନ ହେବ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଅପରାହ୍ନ ୨ଟାରୁ ୩ଟା ଯାଏ ତିନି ରଥରେ ଛେରା ପହଁରା ସେବା କରିବେ । ଏହାପରେ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଏବଂ ଘୋଡା ସାରଥୀ ଯୋଚା ଯିବ । ସମସ୍ତ ପ୍ରସ୍ତୁତି ସରିବା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ।