ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପର୍ସିଆନ୍ ଗଲ୍ଫ ବା ଗଲ୍ଫ ଅଞ୍ଚଳରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ସୁରକ୍ଷା ବିପତ୍ତିକୁ ଦୃଷ୍ଟିରେ ରଖି ଭାରତୀୟ ନାବିକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଜରୁରୀ ସୂଚନା ଜାରି କରିଛନ୍ତି। ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା କୌଣସି ବି ଜଳପଥ ଜାହାଜରେ ଭାରତୀୟ ନାବିକ ବା ସେଲରମାନଙ୍କୁ ନିୟୋଜିତ ନ କରିବାକୁ ସିପିଂ କମ୍ପାନୀଗୁଡ଼ିକୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ (DGMA) ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ନିର୍ଦ୍ଦେଶନାମାରେ ସମସ୍ତ ଜାହାଜ ମାଲିକ, ସିପ୍ ମ୍ୟାନେଜର ଏବଂ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ବି ଭାରତୀୟ ସେଲରଙ୍କୁ ହରମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜରେ କାମ କରିବା ପାଇଁ ପଠାଯାଇପାରିବ ନାହିଁ। ଭାରତୀୟ ନାବିକମାନଙ୍କ ଜୀବନ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
କାହିଁକି ନିଆଗଲା ଏଭଳି ନିଷ୍ପତ୍ତି?
ଗତ କିଛି ଦିନ ହେବ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ଗଲ୍ଫ ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଭାବେ ଆକ୍ରମଣ କରାଯାଉଛି। ରିପୋର୍ଟ ଅନୁସାରେ, ନିକଟରେ ଏହି ଅଞ୍ଚଳ ଦେଇ ଯାଉଥିବା 'ମୋମ୍ବାସା ବି', 'ଅଲ୍ ବାହିୟା', 'ଜିଏଫଏସ୍ ଗାଲାକ୍ସି', 'ଏମଟି ୱେଦ୍ୟାନ' ଏବଂ 'ଅଲ୍ ରେକାୟାତ୍' ଭଳି କେତେକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି।
ଏହି ଯୁଦ୍ଧଖୋର ପରିସ୍ଥିତି ଏବଂ ମିସାଇଲ୍ ମାଡ଼ ଯୋଗୁଁ ସାମୁଦ୍ରିକ ବାଣିଜ୍ୟିକ ପଥରେ ଯାତ୍ରା କରୁଥିବା ନାବିକମାନଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ଭାରତ ସରକାର ନିଜର ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି କଟକଣା ଲଗାଇଛନ୍ତି।