ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ପାଳିତ ହେଉଛି ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଭକ୍ତ ଓ ଭଗବାନଙ୍କ ମହାମିଳନର ଏହି ଅପୂର୍ବ ପର୍ବ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ଜାରି କରି ରାଷ୍ଟ୍ରପତି କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ଉପଲକ୍ଷେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ସେ ଅନ୍ତରରୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହ ରଥାରୂଢ଼ ହୋଇ ଭକ୍ତଙ୍କ ଗହଣକୁ ଆସିଥାନ୍ତି, ଯାହା ଭକ୍ତ ଓ ଭଗବାନଙ୍କ ଅଦ୍ୱିତୀୟ ମିଳନର ପ୍ରତୀକ।
ରାଷ୍ଟ୍ରପତି ମହାପ୍ରଭୁଙ୍କ ନିକଟରେ ଦେଶବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ କଲ୍ୟାଣ କାମନା କରିଛନ୍ତି। ସେ କହିଛନ୍ତି, ଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ, ଦେଶ ଓ ବିଶ୍ୱରେ ସଦ୍ଭାବନା, ଶାନ୍ତି ଓ ଭାଇଚାରାର ପରିବେଶ ସୁଦୃଢ଼ ହେଉ। ପ୍ରତ୍ୟେକ ପରିବାର ସୁଖୀ ରହୁ ଏବଂ ପ୍ରତ୍ୟେକ ଜୀବନ ଆଶା, ଆନନ୍ଦ ଓ ମଙ୍ଗଳରେ ପରିପୂର୍ଣ୍ଣ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।