ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଏଥର ରଥଯାତ୍ରାରେ ଆଉ ଏକ ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ଭିଜୁଛି ବଡ଼ଦାଣ୍ଡ, ଭିଜୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଆଉ ବର୍ଷା ଜଳରେ ସ୍ନାନ କରୁଛି ମହାପ୍ରଭୁଙ୍କ ତିନି ରଥ। ଭକ୍ତଙ୍କ ବିଶ୍ୱାସ, ସତେ ଯେପରି କାଳିଆ ସାଆନ୍ତଙ୍କ ଆଗମନ ପୂର୍ବରୁ ଇନ୍ଦ୍ରଦେବ ସ୍ୱୟଂ ବଡ଼ଦାଣ୍ଡକୁ ପବିତ୍ର କରୁଛନ୍ତି।
ଗତକାଲିଠାରୁ ପୁରୀରେ ଲଗାଣ ବର୍ଷା ଜାରି ରହିଛି। ତେବେ ବର୍ଷା ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଟିକିଏ ବି କମାଇ ପାରିନାହିଁ। ଛତା, ବର୍ଷାକୋଟ ଓ ପ୍ଲାଷ୍ଟିକ୍ ଘୋଡ଼ାଇ ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ଭକ୍ତିର ଆଗରେ ପ୍ରକୃତିର ପ୍ରକୋପ ମଧ୍ୟ ଫିକା ପଡ଼ିଯାଇଛି।
ସୂଚନା ଅନୁସାରେ, ଗତ ୪୫ ଘଣ୍ଟା ମଧ୍ୟରେ ପୁରୀରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଏହାଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବଡ଼ଦାଣ୍ଡ ସମେତ ଅନେକ ଗଳିକନ୍ଦିରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାରୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏପଟେ ପାଣିପାଗ ବିଭାଗ ରଥଯାତ୍ରାକୁ ଆସୁଥିବା ଭକ୍ତଙ୍କୁ ବଜ୍ରପାତ ଓ ଘଡ଼ଘଡ଼ି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି। ଗଛ କିମ୍ବା ବିଦ୍ୟୁତ୍ ଖୁଣ୍ଟ ତଳେ ଆଶ୍ରୟ ନନେବା ସହ ପାଣିପାଗ ବିଭାଗର ସରକାରୀ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି। ବର୍ଷା ସତ୍ତ୍ୱେ ଭକ୍ତିର ଉତ୍ସାହ ଅଟୁଟ ରହିଥିବା ବେଳେ ପୁରୀ ବଡ଼ଦାଣ୍ଡ ଆଜି ଆଧ୍ୟାତ୍ମିକ ଉଲ୍ଲାସରେ ଝଲସି ଉଠିଛି।