ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମବେତ ହେଉଥିବା ବେଳେ, ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ। ଯେକୌଣସି ଜରୁରୀ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ପୁରୀରେ କରାଯାଇଛି ବ୍ୟାପକ ଓ ସୁଦୃଢ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା।
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବିଲ୍ଡିଂରେ ୧୫୦ଟି ବେଡ୍ ଏବଂ TBIT ବିଲ୍ଡିଂରେ ୮୦ଟି ବେଡ୍ ସହ ମୋଟ ପ୍ରାୟ ୨୭୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି। ଏହାସହ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସମସ୍ତ ଆବଶ୍ୟକ ଉପକରଣ ଓ ଔଷଧ ମଧ୍ୟ ମହଜୁଦ ରହିଛି।
କେବଳ ବେଡ୍ ନୁହେଁ, ରଥଯାତ୍ରା ଡ୍ୟୁଟିରେ ୨୭୦ ଜଣ ଡାକ୍ତର, ୨୦୦ରୁ ଅଧିକ ପାରାମେଡିକାଲ କର୍ମଚାରୀ ଓ ନର୍ସଙ୍କୁ ନିୟୋଜିତ କରାଯାଇଛି। ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୫୦ ୟୁନିଟ୍ ରକ୍ତ ମଧ୍ୟ ସଂରକ୍ଷିତ ରଖାଯାଇଛି, ଯାହା ଜରୁରୀ ସମୟରେ ଜୀବନ ବଞ୍ଚାଇବାରେ ସହାୟକ ହେବ।
ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୮ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି। ଭିଡ଼ ମଧ୍ୟରେ ଅସୁସ୍ଥ ହୋଇପଡ଼ୁଥିବା କିମ୍ବା ପ୍ରାଥମିକ ଚିକିତ୍ସା ଆବଶ୍ୟକ କରୁଥିବା ଭକ୍ତମାନେ ଏହି କ୍ୟାମ୍ପରୁ ତୁରନ୍ତ ସେବା ପାଇପାରିବେ। ଏଥିସହ ୪୬ଟି ସରକାରୀ ଆମ୍ବୁଲାନ୍ସ ୨୪ ଘଣ୍ଟା ପ୍ରସ୍ତୁତ ରହିଛି, ଯାହା ଜରୁରୀ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବ।
ପୁରୀ CDMOଙ୍କ କହିବା ଅନୁସାରେ, ଚଳିତ ରଥଯାତ୍ରାରେ ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସମଗ୍ର ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ପାଇଁ ସୁରକ୍ଷିତ, ସୁସ୍ଥ ଓ ନିର୍ବିଘ୍ନ ରଥଯାତ୍ରା ସୁନିଶ୍ଚିତ କରିବାକୁ ପ୍ରଶାସନର ଏହି ପ୍ରସ୍ତୁତି ଏବେ ସବୁଠାରୁ ବଡ଼ ଭରସା ପାଲଟିଛି।