ବାଲେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ବଢ଼ିଛି। ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇ ବିପଦ ସଙ୍କେତ ଅତିକ୍ରମ କରିଛି। ବସ୍ତା ବ୍ଲକର ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ନଦୀର ଜଳସ୍ତର ୬.୫୨ ମିଟରରେ ପହଞ୍ଚି ପ୍ରବାହିତ ହେଉଛି।
ଗତ ଦୁଇ ଦିନ ଧରି ବାଲେଶ୍ୱର ସମେତ ଜଳକା ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ନଦୀକୁ ଜଳ ପ୍ରବାହ ବଢ଼ିଚାଲିଛି। ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
ପାଣିପାଗ ସ୍ଥିତି ଏଭଳି ଜାରି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ବାଲେଶ୍ୱର ସଦର ବ୍ଲକର ୩ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇପାରେ। ଏହା ସହ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ କୃଷକମାନେ କ୍ଷତି ସହିବାର ଆଶଙ୍କା ରହିଛି।
ଜଳସ୍ତର ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ସତର୍କ ରହିଥିବା ବେଳେ ନଦୀକୂଳବର୍ତ୍ତୀ ଲୋକଙ୍କୁ ସଚେତନ ରହିବା ସହ ଆବଶ୍ୟକ ନହେଲେ ନଦୀ ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗୁରୁତର ହେବାର ସମ୍ଭାବନା ରହିଛି।