ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଯାତ୍ରାରେ ଭକ୍ତି ଓ ଉତ୍ସାହର ଆଉ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସଫଳତାର ସହ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ଦୁଇ ରଥ ଶରଧାବାଲିରେ ପହଞ୍ଚିବା ମାତ୍ରେ ସମଗ୍ର ପରିବେଶ ଭକ୍ତଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।
"ଜୟ ଜଗନ୍ନାଥ", "ହରିବୋଲ" ଓ ହୁଳହୁଳି ଧ୍ୱନିରେ ଗୁଣ୍ଡିଚା ପୀଠ ଭକ୍ତିମୟ ହୋଇଉଠିଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବର୍ଷାକୁ ଖାତିର ନକରି ରଥ ଦର୍ଶନ କରିବା ସହ ଏହି ଦୁର୍ଲଭ ଓ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛନ୍ତି। ବଡ଼ଠାକୁର ଓ ମା' ସୁଭଦ୍ରାଙ୍କ ରଥ ଶରଧାବାଲିରେ ପହଞ୍ଚିବା ପରେ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦ୍ୱିଗୁଣିତ ହୋଇଛି।
ଏବେ ସମସ୍ତଙ୍କ ନଜର ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଉପରେ। କାଳିଆ ସାଆନ୍ତଙ୍କ ରଥ କେବେ ଶରଧାବାଲିରେ ପହଞ୍ଚିବ, ସେନେଇ ଭକ୍ତମାନେ ଅପେକ୍ଷା କରିରହିଛନ୍ତି। ନନ୍ଦିଘୋଷ ରଥ ପହଞ୍ଚିବା ସହ ଗୁଣ୍ଡିଚା ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟ ପୂର୍ଣ୍ଣତା ପାଇବ।
ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁଲିସ, ପ୍ରଶାସନ ଓ ସେବାୟତମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ ଉପରେ ବିଶେଷ ନଜର ରଖାଯାଇଛି।
ଆଧ୍ୟାତ୍ମିକତା, ଭକ୍ତି ଓ ଉତ୍ସବର ଅପୂର୍ବ ସମନ୍ୱୟ ମଧ୍ୟରେ ଶ୍ରୀକ୍ଷେତ୍ର ଏବେ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥମୟ। ସଭିଙ୍କ ମୁହଁରେ ଗୋଟିଏ ମାତ୍ର ଧ୍ୱନି "ଜୟ ଜଗନ୍ନାଥ"। ଏବେ କେବଳ ଅପେକ୍ଷା, କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିବାର।