ନୂଆଦିଲ୍ଲୀ: ପ୍ରଧାନ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଉଦଜାନ ବା ହାଇଡ୍ରୋଜେନ୍ ଚାଳିତ ରେଳକୁ ହରିୟାଣାଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଚଳାଚଳ କରିବା ପରେ ହରିୟାଣାରୁ ଦିଲ୍ଲୀକୁ ଯାତ୍ରା କମ୍ ସମୟ ଲାଗିବ । ଏହା ଦ୍ୱାରା ଜିନ୍ଦ ଓ ସୋନିପତ ମଧ୍ୟରେ ଥିବା ୯୦ କିଲୋମିଟର୍ ଦୂରତା ରାସ୍ତାକୁ ଦୁଇ ଘଣ୍ଟା ସମୟ ଲାଗିବ।
ଭାରତ ହାଇଡ୍ରୋଜେନ୍ ଇନ୍ଧନ ଭାବରେ ବ୍ୟବହାର କରି ଟ୍ରେନ୍ ପରିଚାଳନା କରୁଥିବା କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଗୋଷ୍ଠୀରେ ସାମିଲ ହୋଇଛି । ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ଆମେରିକା ପରେ ଭାରତ ଏହି ତାଲିକାରେ ଯୋଡ଼ି ହୋଇଛି । ହାଇଡ୍ରୋଜେନ୍ ଟ୍ରେନ୍ ସବୁଜ ଗତିଶୀଳତା ବିକଳ୍ପ ଆଡକୁ ଅଗ୍ରସର ହେବାର ଏକ ବ୍ୟାପକ ପଦକ୍ଷେପର ଅଂଶ । ଯେଉଁଥିରେ ହାଇଡ୍ରୋଜେନକୁ ସବୁଠାରୁ ସ୍ୱଚ୍ଛ ଇନ୍ଧନ ଭାବରେ ବିବେଚନା କରାଯାଏ। ଏହି ଟ୍ରେନ୍ ପରିବେଶର ପ୍ରତି ଏକ ବଡ଼ ଅବଦାନ । ଏହା ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ କରିବା ବଦଳରେ ଜଳୀୟ ବାଷ୍ପ ନିର୍ଗତ କରିବ । ଯାହା ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବା ନାହିଁ ।
ଏହି ଟ୍ରେନରେ ୧୦ଟି ବଗି ରହିଥିବାବେଳେ ଏକାକାଳୀନ ୨୬୦୦ ଯାତ୍ରୀ ଯାତ୍ରା କରିପାରିବେ । ଏହି ଟ୍ରେନ୍ ୧୪ଟି ଷ୍ଟେସନରେ ଅଟକିବ । ଜିନ୍ଦରୁ ସୋନିପତ୍ ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୨୫ ଟଙ୍କା ହେବ । ମାତ୍ର ୫ ଟଙ୍କାରୁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିପାରିବେ । ଯଦି ଗୋଟିଏ ଷ୍ଟେସନରୁ ପରବର୍ତ୍ତୀ ଷ୍ଟେସନ ପାଇଁ ଜଣେ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ମାତ୍ର ୫ ଟଙ୍କା ଦେବାକୁ ପଡ଼ିବ ।
ହାଇଡ୍ରୋଜେନ୍ ଟ୍ରେନ୍ ସେବା ସଂଖ୍ୟା ୭୪୦୧୦ ଏବଂ ୭୪୦୦୯ ଅଧୀନରେ କାର୍ୟ୍ୟ କରିବ। ଜିନ୍ଦରୁ ପ୍ରତିଦିନ ସକାଳ ୭:୪୦ ରେ ଛାଡ଼ିବ ଏବଂ ସକାଳ ୯:୪୦ ରେ ସୋନିପତରେ ପହଞ୍ଚିବ । ଫେରିବା ସମୟରେ, ଏହା ସୋନିପତରୁ ସକାଳ ୧୦:୩୦ରେ ଛାଡିବ ଏବଂ ଦିନ ୧:୦୦ରେ ଜିନ୍ଦରେ ପହଞ୍ଚିବ। ଏହି ଟ୍ରେନଟି ସପ୍ତାହରେ ଛଅ ଦିନ ଚାଲିବ ।