କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ଭିତରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସରିଥିଲା । ପ୍ରଥମେ ଦ୍ଵାର ଫିଟା ନୀତି , ମଇଲମ, ଆଳତି କରାଯାଇ ପୀଠଦେବୀ ବିମଳାଙ୍କ ଠାରୁ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନ ଓ ଏସପି ରୋହିତ ବର୍ମା ଆଂଜ୍ଞାମାଳ ଆଣିବା ପରେ ନିର୍ଦ୍ଧାରିତ ସମୟ ୯ ଟା ୫୦ ମିନଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୋଟି ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ କରାଯାଇଥିଲା ।
ବିଭିନ୍ନ ଗ୍ରାମରୁ ଆସିଥିବା ଭଜନ ଓ କୀର୍ତ୍ତନ ଦଳ, ଆଦିବାସୀ ଓ ଓଡିଶୀ ନୃତ୍ୟର ତାଳେ ତାଳେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଇ ୩ ରଥକୁ ନିଆଯାଇଥିଲା। ଆଦିବାସୀ ଭକ୍ତ କୋରାପୁଟର ଗିରିକନ୍ଦରରୁ ଫଳମୂଳ , ପୁଷ୍ପ , ଚେରମୂଳି ଆଣି ରଥ ଉପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଖରେ ଭୋଗ ଲଗାଯାଇଥିଲା । ଜଗନ୍ନାଥଙ୍କ ରଥରେ ଉପର କଣ୍ଡାପାଲି ଗ୍ରାମର ଆଦିବାସୀଙ୍କ ସମେତ ପଟ୍ଟାଙ୍ଗି ଜଗନ୍ନାଥ ମନ୍ଦିରର ସେବକଙ୍କ ଦ୍ଵାରା ଅଣାଯାଇଥିବା ଭୋଗ ଲାଗିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥରେ ଦଶମନ୍ତପୁର ବ୍ଲକର ପରଜା ଆଦିବାସୀ ସମ୍ପ୍ରଦାୟର ଭକ୍ତଙ୍କ ଭୋଗ ଲାଗି ହୋଇଥିଲା। ଶ୍ରୀ ଜଗନ୍ନାଥଙ୍କ ରଥରେ ଗତ ଛବିଶ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଉପର କଣ୍ଡାପାଲିର ଭକ୍ତଙ୍କ ଦ୍ୱାରା ଅଣାଯାଇଥିବା ଫଳମୂଳକୁ ପ୍ରଥମ ଭୋଗ ଭାବେ ଲଗାଯାଇଥିଲା। ରଥ ଉପରେ ଗାଁ ନାୟକ ଓ ବିଶିଷ୍ଠ ବ୍ୟକ୍ତିଙ୍କ ମୁଣ୍ଡରେ ଶିରୋପା ବାନ୍ଧି ଜିଲ୍ଲାପାଳ ଓ ଏସପି ସମ୍ମାନୀତ କରିଥିଲେ।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥରେ ତିନିଜଣ ଆଦିବାସୀ ଗାଁ ମୁଖିଆ ଛେରାପହଁରା କରିବାର ସୁଯୋଗ ପାଇଥିଲେ । ଜଗନ୍ନାଥଙ୍କ ରଥରେ କୋରାପୁଟ ନିକଟସ୍ଥ କୁମ୍ଭାଗାଁର ନାୟକ ଅର୍ଜୁନ ନାୟକ , ଦେବୀ ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରିପୁଟ ଗ୍ରାମର ସାଧୁ ସାଉଁନ୍ତା ଛେରାପହଁରା କରିଥିବା ବେଳେ ପ୍ରଭୁ ବଳଭଦ୍ର ଙ୍କ ରଥରେ କୋଟିଆ ର ଦାନୁ ତାଡିଙ୍ଗି ଏହି ଦିବ୍ୟ କାର୍ଯ୍ୟକୁ ସମ୍ପାଦିତ କରିଛନ୍ତି ।ଅପରାହ୍ନ ୧ ଟା୧୫ରୁ ପ୍ରଥମେ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ପରେ ୧ ଟା ୩୦ ମିନିଟରୁ ସୁଭଦ୍ରା ଓ ଶେଷରେ ଅପରାହ୍ନ ୨ ଟାରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଥିଲା।ଏହି ରଥଯାତ୍ରା ଜିଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସପି ରୋହିତ ବର୍ମା ନିଜେ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ,ମନ୍ଦିର ପରିଚାଳନା କମିଟି ସମ୍ପାଦକ ଭବାନୀ ଆଚାର୍ଯ୍ୟଙ୍କ ସମେତ ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପବିତ୍ର ଘୋଷଯାତ୍ର ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚତୁର୍ଦ୍ଧାମୂରତୀଙ୍କୁ ଅତି ନିକଟରୁ ପାଇ ଭକ୍ତମାନେ ଭାବବିହୋଳ ହୋଇଯାଇଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟ ଓ ଘଣ୍ଟ ସଙ୍କୀର୍ତ୍ତନରେ ବଡ଼ଦାଣ୍ଡ କମ୍ପିଥିଲା। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହୋଇଥିଲା । କୋରାପୁଟର ବଡଦାଣ୍ଡ ଜୟ ଜଗନ୍ନାଥ, ହରିବୋଲ, ଘଣ୍ଟନାଦ ଓ ଶଙ୍ଖ ମହୁରୀ, ବାଜାବଜଣା ଓ ହୁଳହୁଳି ସହ ବିଜେ କାହାଳୀରେ ପ୍ରକମ୍ପିତ ହୋଇଥିଲା। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରେ ଦର୍ଶନ ଦେଇଥିଲେ ।
ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କୁ ସ୍ପର୍ଶ କରିବାକୁ ୨୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଗହଳି ହୋଇଥିଲା । ସନ୍ଧ୍ୟା ୫ . ୩୦ରେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ରଥ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।