ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଏବେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ସମ୍ମାନ ଦେବାକୁ ପଡ଼ିବ। ଯଦି କେହି ଜାଣିଶୁଣି ବନ୍ଦେ ମାତରମ୍ର ଅପମାନ କରେ କିମ୍ବା ଏହାର ଗାନ ସମୟରେ ବାଧା ସୃଷ୍ଟି କରେ, ତେବେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ। ଏଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ବିଲ୍ ଆଣିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍କୁ ପ୍ରଥମେ ରାଜ୍ୟସଭାରେ ଉପସ୍ଥାପନ କରିବେ।
ରାଷ୍ଟ୍ରୀୟ ଗୀତର ଅପମାନ କଲେ ୩ ବର୍ଷ ଜେଲ୍
ନିକଟରେ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହୋଇଥିବା ଏହି ପ୍ରସ୍ତାବିତ ବିଲ୍ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଜାଣିଶୁଣି ଜାତୀୟ ସଙ୍ଗୀତ କିମ୍ବା ରାଷ୍ଟ୍ରୀୟ ଗୀତର ଗାନକୁ ମଝିରେ ଅଟକାଏ, ଏଥିରେ ବିଭ୍ରାଟ ସୃଷ୍ଟି କରେ କିମ୍ବା କୌଣସି ସଭା ସମିତିରେ ଏହାକୁ ନେଇ ହଟ୍ଟଗୋଳ କରେ, ତେବେ ତାହାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ। ନୂଆ ନିୟମ ଅନୁସାରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ। ପୂର୍ବରୁ ମୋଦୀ ସରକାର ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଗାନ କରିବାକୁ ବାଧ୍ୟତାମୂଳକ କରିସାରିଛନ୍ତି।
ସଂସଦରେ ବିଲ୍ ପାସ୍ କରାଇବାକୁ ସରକାର ପ୍ରସ୍ତୁତ, DMK ସହ ଯୋଗାଯୋଗ
ସୂତ୍ର ଅନୁଯାୟୀ, ଏହି ବିଲ୍ ପାସ୍ କରାଇବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିସାରିଛି। ସଂସଦରେ ଯଦି ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ପଡ଼େ, ତେବେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ରହିଛି। ବିଲ୍ ସପକ୍ଷରେ ଅଧିକ ସମର୍ଥନ ଜୁଟାଇବା ପାଇଁ ବିଜେପି ରଣନୀତିକାରମାନେ ବିରୋଧୀ ମେଣ୍ଟର ସହଯୋଗୀ ଦଳ ଡିଏମକେ (DMK) ନେତାମାନଙ୍କ ସହ ମଧ୍ୟ ଯୋଗାଯୋଗରେ ଥିବା ଜଣାପଡ଼ିଛି।
Also Read: ଭୋଟର୍ ତାଲିକାରେ ନାଁ ନ ଥିଲେ ନାଗରିକତା ସମାପ୍ତ ହୁଏ ନାହିଁ: ସୁପ୍ରିମକୋର୍ଟ