ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ (UNSC) ରେ ଭାରତର ସ୍ଥାୟୀ ସଦସ୍ୟତାକୁ ନେଇ ଦୀର୍ଘ ଦିନରୁ ଚାଲିଆସିଥିବା ଅପେକ୍ଷା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁରକ୍ଷା ପରିଷଦର ୫ଟି ସ୍ଥାୟୀ ସଦସ୍ୟ ଦେଶ ମଧ୍ୟରୁ ୪ଟି ଶକ୍ତିଶାଳୀ ରାଷ୍ଟ୍ର— ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ରୁଷିଆ ପୂର୍ବରୁ ହିଁ ବିଭିନ୍ନ ସ୍ତରରେ ଭାରତର ଦାବିକୁ ସମର୍ଥନ କରିସାରିଛନ୍ତି। ଏଭଳି ପରିସ୍ଥିତିରେ କେବଳ ଚୀନ୍ର ଆଭିମୁଖ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ, ବେଜିଂ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ପ୍ରକାଶ ପାଇଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ରଣନୀତିକ ବୈଠକରେ ଚୀନ୍ର କୂଟନୈତିକ ପ୍ରତିନିଧି ଦଳ ଭାରତର UNSC ଆଶା ଓ ଆକାଂକ୍ଷାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଚୀନ୍ କହିଛି ଯେ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତର ଯେଉଁ ଇଚ୍ଛା ରହିଛି, ତାହାକୁ ଚୀନ୍ ‘ବୁଝିପାରୁଛି ଏବଂ ସମ୍ମାନ କରେ’।
ତେବେ ଏହି ବୟାନ ସକାରାତ୍ମକ ମନେ ହେଉଥିଲେ ମଧ୍ୟ, ଚୀନ୍ ଏପର୍ଯ୍ୟନ୍ତ ଭାରତକୁ ସ୍ଥାୟୀ ସଦସ୍ୟତା ତଥା ଭିଟୋ ପାୱାର ଦେବା ନେଇ କୌଣସି ସ୍ପଷ୍ଟ ବା ଚୂଡ଼ାନ୍ତ ପ୍ରତିଶ୍ରୁତି ଦେଇନାହିଁ। କୂଟନୈତିକ ବିଶେଷଜ୍ଞଙ୍କ ମତରେ, ପୂର୍ବ ଆଭିମୁଖ୍ୟ ତୁଳନାରେ ଚୀନ୍ର ଏହି ନରମ ଆଭିମୁଖ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ।
‘ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ଆମେ ପରସ୍ପରର ସହଯୋଗୀ’ଦୁଇ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ତିକ୍ତତା ମଧ୍ୟରେ ଏହି ସାକ୍ଷାତକାର ବେଶ ସକାରାତ୍ମକ ବାତାବରଣ ସୃଷ୍ଟି କରିଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ:ଭାରତ ଏବଂ ଚୀନ୍ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ନଦେଖି ସହଯୋଗୀ ବା ପାର୍ଟନର ଭାବେ ଦେଖିବା ଉଚିତ।ଦୁଇ ପଡ଼ୋଶୀ ଦେଶ ପରସ୍ପର ପାଇଁ ବିପଦ ନୁହନ୍ତି, ବରଂ ବିକାଶର ବଡ଼ ସୁଯୋଗ। ଦ୍ୱିପାକ୍ଷିକ ମତଭେଦକୁ ସଠିକ୍ ଭାବେ ପରିଚାଳନା କରି ସୀମାରେ ଶାନ୍ତି ବଜାୟ ରଖିବା ଉଭୟ ଦେଶର ପ୍ରାଥମିକତା ହେବା ଦରକାର।
ସୂଚନାଯୋଗ୍ୟ ଯେ, ଭାରତ ନିକଟରେ ଜାତିସଂଘ ମୁଖ୍ୟାଳୟରେ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟତା ଦୌଡ଼ରେ ସାମିଲ ହେବାକୁ ନିଜର ଅଭିଯାନ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି। ଏଥିସହିତ ସ୍ଥାୟୀ ସଦସ୍ୟତା ପାଇଁ ମଧ୍ୟ ଭାରତର ପ୍ରୟାସ ଜାରି ରହିଛି। ବିଶ୍ୱର ଚାରୋଟି ବଡ଼ ଶକ୍ତି ଭାରତ ସପକ୍ଷରେ ଥିବା ବେଳେ, ଚୀନ୍ ଏବେ ନିଜର ଆଭିମୁଖ୍ୟ ବଦଳାଉଛି କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।