ଅହମ୍ମଦାବାଦ: ଗୁଜରାଟର ବିଭିନ୍ନ ଜିଲ୍ଲାରେ ଏକ ବଡ଼ କାର୍ୟ୍ୟାନୁଷ୍ଠାନରେ ଆତଙ୍କବାଦ ନିରୋଧୀ ଦଳ ବା (ଏଟିଏସ୍)କୁ ସଫଳତା ମିଳିଛି । ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଆଉ ପାଞ୍ଚ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗୁଜରାଟ ଏଟିଏସ୍ ଗିରଫ କରିଛି ।
ସନ୍ଦିଗ୍ଧ ବିଲାଲ ଆବିଦ ଶେରା, ମହମ୍ମଦ ଆୟୁବ କାଡିୱାଲ (ଉରଫ ମହମ୍ମଦ ଖାଦିୟାସନ), ମହମ୍ମଦ ଶଫି ମୁଖୀ (ଉରଫ ଶଫି ଚାପି), ମହମ୍ମଦ ହାସନ କରାଡିଆ (ଉରଫ ହାସନ ହାଇଦରପୁରୀ) ଏବଂ ମହମ୍ମଦ ଆୟୁବ ସୁମାସ୍ରା (ଉରଫ ମହମ୍ମଦ ଖାଲି) ଭାବରେ ଚିହ୍ନଟ କରାଯାଇଛି। ଏମାନଙ୍କୁ ଗୁଜରାଟର ବିଭିନ୍ନ ଜିଲ୍ଲାରୁ ଗିରଫ କରାଯାଇଛି । ଗତ ମାସରେ ଦେଶରେ ଧରାପଡ଼ିଥିବା ଆଠ ଜଣ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ମେହସାଣା ଜିଲ୍ଲାର କାଡି ସହରରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଆରଏମ୍ ଭାଟିଆଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ସମସ୍ତଙ୍କୁ ଜୁଲାଇ ୨୪ ପର୍ୟ୍ୟନ୍ତ ଏଟିଏସ୍ ହେପାଜତକୁ ପଠାଇ ଦିଆଯାଇଛି ।
ସରକାରୀ ଓକିଲ ପି.ଆର.ଦନ୍ତାନି କହିଛନ୍ତି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଟାଇମ୍ ବୋମା ତିଆରି କାର୍ୟ୍ୟରେ ନିୟୋଜିତ ଥିଲେ । ବୋମା ତିଆରି ସାମଗ୍ରୀ ଏବଂ ଉର୍ଦ୍ଦୁରେ ଥିବା ଜେଏମ୍ ପତ୍ରିକା ଏପର୍ୟ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ଅଭିଯୁକ୍ତମାନେ ଏକ ଟାଇମ୍ ବୋମା ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରୀକ୍ଷଣ ବିଫଳ ହୋଇଥିଲା। ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଗିରଫ ହୋଇଥିବା ଆଠ ଜଣଙ୍କ ମଧ୍ୟରୁ ଜଣେ, ଯାହାର ନାମ ଅମିନ୍, ନୂତନ ଭାବରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଜେଏମ୍ ସାମଗ୍ରୀ ଯୋଗାଇଥିଲା । ଅନ୍ୟ ଜଣେ ଅଭିଯୁକ୍ତ ବୋମା ତିଆରି କରିବାର ପଦ୍ଧତି ଜାଣିଥିଲେ।
ଏଟିଏସ୍ ମଧ୍ୟ ଜାଣିବାକୁ ଚାହୁଁଛି ଯେ ବୋମା ତିଆରି ସାମଗ୍ରୀ କେଉଁଠାରୁ ସଂଗ୍ରହ କରାଯାଇଥିଲା, କେଉଁଠାରୁ ଲୁଚାଇ ରଖାଯାଇଥିଲା ଏବଂ ଅଭିଯୁକ୍ତମାନେ ଜେଏମ୍ ସହିତ ଜଡିତ ଜିହାଦୀ ପୁସ୍ତକ କିପରି ପାଇଥିଲେ ଏବଂ ସେହି ପୁସ୍ତକଗୁଡ଼ିକ କେଉଁଠାରେ ଲୁଚାଇ ରଖାଯାଇଥିଲା। ତେଣୁ ସେମାନଙ୍କୁ ଏଟିଏସ୍ ହାଜତରେ ଜେରା କରିବାକୁ କୋର୍ଟକୁ ଅନୁରୋଧ କରାଯାଇଥିଲା । ଏହା ପରେ କୋର୍ଟ ସେମାନଙ୍କୁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ।
ଜୁଲାଇ ୩ ରେ, ଗୁଜୁରାଟ ଏଟିଏସ୍ ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ନିଷିଦ୍ଧ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ ଅଭିଯୁକ୍ତମାନେ ଗୁଜରାଟରେ ଏକ ସକ୍ରିୟ ଆତଙ୍କୀ ନେଟୱାର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ।