ସୁପ୍ରିମକୋର୍ଟ ବହୁ ଦିନରୁ ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜିତ ହେବ ଏବଂ ପ୍ରାୟ ୧୦୦ଟି ବଞ୍ଚ୍ ମାମଲା (ଏକାଧିକ ସମାନ ମାମଲାର ସମୂହ) କୁ ପ୍ରାଥମିକତା ଦେଇ ଶୁଣାଣି କରାଯିବ। ଏହା ମାଧ୍ୟମରେ ପ୍ରାୟ ୯,୧୭୭ଟି ମାମଲାର ସମାଧାନ ପାଇଁ ପ୍ରସ୍ତୁତି କରାଯାଇଛି।
ଅଦାଲତରେ ପଡ଼ି ରହିଥିବା ମାମଲାର ବୋଝ କମାଇବା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ଦ୍ରୁତ ତଥା ଶୃଙ୍ଖଳିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୫ ଜୁଲାଇ ୨୦୨ରେ ଅନୁଷ୍ଠିତ ଫୁଲ୍ କୋର୍ଟ (ସମସ୍ତ ବିଚାରପତିଙ୍କ ବୈଠକ) ବୈଠକରେ ସ୍ଥିର କରାଯାଇଛି ଯେ, ଆସନ୍ତା ଅଗଷ୍ଟ ୨୧, ୨୨ ଏବଂ ୨୩ ତାରିଖରେ ‘ସମାଧାନ ସମାରୋହ’ ଅଧୀନରେ ବିଶେଷ ଲୋକ ଅଦାଲତ (Special Lok Adalat) ଆୟୋଜନ କରାଯିବ। ଏଥିରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଅଂଶଗ୍ରହଣ କରିବେ।
ଏହା ସହିତ କୋର୍ଟ ପ୍ରାୟ ୧୦୦ଟି ବଞ୍ଚ୍ ମାମଲାକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ଏକ ସଙ୍ଗେ ପ୍ରାୟ ୯,୧୭୭ଟି ମାମଲାର ସମାଧାନ ହୋଇପାରିବ। ଏହି ମାମଲାଗୁଡ଼ିକୁ ସାଧାରଣ କ୍ରମରୁ ହଟାଇ ସମ୍ପୃକ୍ତ ବେଞ୍ଚ ସମ୍ମୁଖରେ ରଖାଯିବ, ଯାହାଦ୍ୱାରା ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ ହେବ ଏବଂ ନ୍ୟାୟ ମିଳିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ।
ଫୁଲ୍ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ବଞ୍ଚ୍ ମାମଲାଗୁଡ଼ିକର ସମାଧାନ ପରେ ସବୁଠାରୁ ପୁରୁଣା ମାମଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ। ନୋଟିସ ଜାରି ହେବା ଦିନଠାରୁ ପଡ଼ି ରହିଥିବା ସବୁଠାରୁ ପୁରୁଣା ମାମଲାଗୁଡ଼ିକର ଶୁଣାଣି ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଦିନ କରାଯିବ। ଏହା ବ୍ୟତୀତ ମାମଲାର ତାଲିକା ଅର୍ଥାତ୍ 'କଜ୍ ଲିଷ୍ଟ' (Cause List) କୁ ଅଧିକ ସରଳ ଓ ଶୃଙ୍ଖଳିତ କରିବା ପାଇଁ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ, ଯାହା ବ୍ୟବସ୍ଥାର ସୁଧାର ପାଇଁ ପରାମର୍ଶ ଦେବ।
ଯୁକ୍ତି ଓ ବହସ ପାଇଁ ସମୟ ସୀମା ନିର୍ଦ୍ଧାରଣ ହେବ
ଚୂଡ଼ାନ୍ତ ଶୁଣାଣି ପର୍ଯ୍ୟାୟରେ ଥିବା ମାମଲାଗୁଡ଼ିକ ପାଇଁ ଫୁଲ୍ କୋର୍ଟ ଏକ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏଭଳି ମାମଲାରେ ଓକିଲମାନଙ୍କୁ ପୂର୍ବରୁ ଜଣାଇବାକୁ ହେବ ଯେ ସେମାନଙ୍କୁ ମୌଖିକ ଯୁକ୍ତି ରଖିବା ପାଇଁ କେତେ ସମୟ ଦରକାର। ଏହାଦ୍ୱାରା ଶୁଣାଣି ଅଯଥା ଦୀର୍ଘ ହେବନାହିଁ ଏବଂ ଅଦାଲତ ନିଜ ସମୟର ସଠିକ୍ ପରିଚାଳନା କରିପାରିବେ। ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ସମୟ ସୀମା ମଧ୍ୟରେ ଶୁଣାଣି ଉପରେ ଜୋର ଦେଇ ଆସୁଛନ୍ତି ଏବଂ ଏହି ନିଷ୍ପତ୍ତି ସେହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ନିଜେ ମାମଲା ଲଢ଼ୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସୁବିଧା
ଏହି ବୈଠକରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ନିୟମାବଳୀ, ୨୦୧୩ ଅନୁଯାୟୀ, ଏବେ ଯେଉଁ ପକ୍ଷକାରମାନେ ଓକିଲ ନ ରଖି ନିଜେ ନିଜର ମାମଲା ଲଢ଼ୁଛନ୍ତି (Party-in-Person), ସେମାନେ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଭର୍ଚୁଆଲ୍ (ଅନଲାଇନ୍) ମାଧ୍ୟମରେ ହାଜର ହେବାର ସୁବିଧା ପାଇବେ। ତେବେ, ଯଦି କୌଣସି ପକ୍ଷକାର ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ହେବାକୁ ଚାହାନ୍ତି, ତେବେ ତାଙ୍କୁ ଏହାର ଅନୁମତି ମିଳିବ। କିନ୍ତୁ ଏଭଳି ଶୁଣାଣିର କୌଣସି ଲାଇଭ୍-ଷ୍ଟ୍ରିମିଂ ବା ଭିଡିଓ ରେକର୍ଡିଂ କରାଯିବ ନାହିଁ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିଗୁଡ଼ିକୁ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ କରିବା, ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।