ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ସମ୍ପନ୍ନ ହୋଇଛି। ପ୍ରଶାସନ ଓ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ବେଳେ, ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛି ପୁଲିସ ପ୍ରଶାସନ।
ରଥଯାତ୍ରାକୁ ନେଇ ସମୀକ୍ଷା ପରେ ପୁଲିସ ଡିଜି ୱାଇ. ବି. ଖୁରାନିଆ ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଗୁଣ୍ଡିଚା ମନ୍ଦିର ଓ ଆଖପାଖ ଅଞ୍ଚଳରେ ଆଗାମୀ କିଛି ଦିନ ଅତ୍ୟଧିକ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ବୃଦ୍ଧ, ଛୋଟ ଛୁଆ ଓ ଅସୁସ୍ଥ ବ୍ୟକ୍ତିମାନେ ଅତ୍ୟଧିକ ଗହଳି ମଧ୍ୟକୁ ନଆସିବାକୁ ସେ ପରାମର୍ଶ ଦେଇଛନ୍ତି।
ଡିଜିପିଙ୍କ ସୂଚନା ଅନୁଯାୟୀ, ଭକ୍ତଙ୍କ ସୁରକ୍ଷିତ ଦର୍ଶନକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍, କ୍ୟୁ ଲାଇନ୍ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ପ୍ରତ୍ୟେକ ସ୍ଥାନରେ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇ ଭକ୍ତଙ୍କ ସୁରକ୍ଷିତ ଯାତାୟାତ ଓ ଦର୍ଶନ ନିଶ୍ଚିତ କରାଯିବ।
ପୁଲିସ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବା ସହ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ଅନାବଶ୍ୟକ ଭିଡ଼ ଏଡ଼ାଇବା, ପ୍ରଶାସନର ପରାମର୍ଶ ମାନିବା ଓ ଶୃଙ୍ଖଳା ରକ୍ଷା କରିବାକୁ ଭକ୍ତଙ୍କୁ ଆହ୍ୱାନ କରାଯାଇଛି।
ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମବେତ ହେଉଥିବାରୁ ଭକ୍ତଙ୍କ ସୁରକ୍ଷା, ସୁବିଧାଜନକ ଦର୍ଶନ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।