କଟକ: ଭତ୍ତା ଓ ପେନ୍ସନ୍ ପ୍ରଦାନରେ ବିଳମ୍ବକୁ ନେଇ ଦାଖଲ ହୋଇଥିବା ଏକ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଦାବିକୁ ଗୁରୁତ୍ୱର ସହ ବିଚାର କରି ଦୁଇ ମାସ ମଧ୍ୟରେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାକୁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ନିଷ୍ପତ୍ତି ନେବାର ୧୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ଲିଖିତ ଭାବେ ସୂଚିତ କରିବାକୁ ମଧ୍ୟ କୁହାଯାଇଛି।
ଏହି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ଆଦେଶ ଜାରି କରିଛନ୍ତି। ଆବେଦନକାରୀ ତୁଷାରକାନ୍ତ ମହାନ୍ତି ୩୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରୀ ଚାକିରି କରିଥିଲେ। କିନ୍ତୁ ଅବସର ପରେ ସେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପାଇନଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ବାରମ୍ବାର ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବିପତ୍ର ଓ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଫଳରେ ସେ ନ୍ୟାୟ ପାଇଁ ହାଇକୋର୍ଟର ଶରଣାପନ୍ନ ହୋଇଥିଲେ।
ମାମଲାର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ଆବେଦନକାରୀ ପୁଣିଥରେ ସମ୍ପୃକ୍ତ ବିଭାଗକୁ ସ୍ମାରକପତ୍ର ଦାଖଲ କରିବେ। ଏହାକୁ ବିଚାର କରି ବିଭାଗୀୟ କର୍ତ୍ତୃପକ୍ଷ ଦୁଇ ମାସ ମଧ୍ୟରେ କାରଣ ଦର୍ଶାଇ ନିଷ୍ପତ୍ତି ନେବେ ଏବଂ ସେହି ନିଷ୍ପତ୍ତି ସମ୍ପର୍କରେ ୧୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ଜଣାଇବେ।
ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭତ୍ତା ସମ୍ପର୍କିତ ଦାବି ନିଷ୍ପତ୍ତିରେ ପ୍ରଶାସନିକ ଜବାବଦେହିତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଇନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।