କେନ୍ଦ୍ରାପଡ଼ା: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ଟଣା ବେଳେ ଅଘଟଣ ଘଟିଛି । ରଥ ଦକ୍ଷିଣ ମୋଡ଼ ନେବାରୁ ଏକ କ୍ୟାବିନ୍ ଉପରେ ମାଡ଼ି ଯାଇଛି । ଫଳରେ ରଥ ଟଣା ସ୍ଥଗିତ ରହିଛି ।
କାଲି ବିଳମ୍ବରେ ଧାଡି ପହଣ୍ଡି ହେବାପରେ ସନ୍ଧ୍ୟା ୦୬ ଘଟିକା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା ,ମାତ୍ର ୧୫ ମିଟର ଯିବାପରେ ରଥ ଟଣାରେ ବିଭ୍ରାଟ ହୋଇଥିଲା। ରଥ ଦଉଡି ଛିଡି ଦୁଇଜଣ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ଆଜି ବ୍ରହ୍ମ ତାଳଧ୍ଵଜ ରଥ ୨ଟା ୩୦ ମିନିଟରେ ଟଣା ଆରମ୍ଭ ହୋଇଥିଲା । କିନ୍ତୁ ରଥ ଟଣା ଆରମ୍ଭରୁ ମାତ୍ର ପାଞ୍ଚ ମିଟର ପରେ ରଥ ଦକ୍ଷିଣ ମୋଡ ନେଇଥିଲା ଏବଂ ଏକ କ୍ୟାବିନ୍ ଭିତରକୁ ମାଡ଼ି ଯାଇଥିଲା । ଏହା ପରେ ରଥ ଟଣାକୁ ବନ୍ଦ ରଖାଯାଇଛି । ରେଳ ବିଭାଗ ବୈଷୟିକ ଟିମ୍ ଆସି ଜ୍ୟାକ୍ ସାହାଯ୍ୟରେ ରଥ ମୋଡ଼ ବଦଳାଇବା ପରେ ରଥ ପୁଣି ରଥ ଟଣା ଆରମ୍ଭ ହେବ ।
ସେପଟେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ମାନେ ରଥ ଟାଣି ନ ପାରି ନିରାଶ ହୋଇଛି । କେବଳ ରଥ ଦଉଡ଼ିକୁ ଟିକେ ସ୍ପର୍ଶ କରି ନିଜ ମନକୁ ବୁଝାଇ ଦେଇଛନ୍ତି ।
ତିନି ବର୍ଷ ହେଲା ରଥ ବାରମ୍ବାର ଦାଣ୍ଡରେ ମୋଡ ନେଇ ଏହି ଭଳି ବିଭ୍ରାଟ ଦେଖା ଦେଉଛି । ଚଳିତ ବର୍ଷ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନୂତନ ରଥ ନିର୍ମାଣ କରିଥିଲେ , ଯାହାକି ଅନୁମାନ କରାଯାଉଥିଲା ସୁରୁଖୁରୁରେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯିବ । କିନ୍ତୁ ଯଥା ପୁର୍ବ ତଥା ପରଂ। ତେବେ ରଥ କଣ ପାଇଁ ରଥ ମୋଡ ନେଉଛି ମୋଡ ନେବା ପଛର କାରଣ ଜଣାପଡି ନାହିଁ ।